ନୂଆଦିଲ୍ଲୀ : ଭାରତ-ଭୁଟାନ ଓ ଚୀନର ତ୍ରିକୋଣୀୟ ସୀମା ନିକଟରେ ଅବସ୍ଥିତ ବିବାଦୀୟ ଡୋକଲାମ୍ ଉପତ୍ୟାକା ନିକଟରେ ଚୀନ ଏକ ବଡ଼ ଗ୍ରାମ ନିର୍ମାଣ କରିଛି । ୨୦୨୨ ମସିହା ମାର୍ଚ୍ଚ ୮ ତାରିଖରେ ନିଆଯାଇଥିବା ଉପଗ୍ରହ ଚିତ୍ରରୁ ଏ ନେଇ ସ୍ଥିତି ସ୍ପଷ୍ଟ ହୋଇଛି । ଏହି ଗ୍ରାମରେ ଚୀନ ନିଜର ଲୋକମାନଙ୍କୁ ଆଣି ବସବାସ କରାଇଛି । ଉପଗ୍ରହ ଚିତ୍ରରୁ ପ୍ରତି ଘର ଆଗରେ କାର ଥିବା ଦେଖାଯାଉଛି ।
ଏହି ଗ୍ରାମକୁ ଚୀନ ପାଙ୍ଗଡା ନାମ ଦେଇଥିବାବେଳେ ତାହା ସଂପୂର୍ଣ୍ଣ ଭାବେ ଭୁଟାନ ଅଂଚଳ ମଧ୍ୟରେ ରହିଛି । ଏହି ଗ୍ରାମ ନିକଟରେ ଥିବା ଆମ ଚୁ ନଦୀ କୂଳରେ ଚୀନ ଏକ ସଡ଼କ ମଧ୍ୟ ନିର୍ମାଣ କରିଛି । ଏହା ଭାରତର ସିଲିଗୁଡି କରିଡରର ନିକଟରେ ଥିବାରୁ ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ।
ଏହି ଘଟଣା ଜଣାପଡ଼ିବା ପରେ ଭାରତୀୟ ସେନା ମୁଖ୍ୟାଳୟର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୀମାରେ ଅନ୍ୟଦେଶର କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖାଯାଇଛି। ବିଶେଷ କରି ଯେଉଁ କାର୍ଯ୍ୟକଳାପ ଦେଶର ଅଖଣ୍ଡତା ଓ ସାର୍ବଭୌମତାକୁ ପ୍ରଭାବିତ କରୁଥିବା କାର୍ଯ୍ୟକଳାପ ଉପରେ କଡା ନଜର ରଖାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୧୭ ସେପ୍ଟେମ୍ବର ମାସରେ ସିକିମ୍-ତିବ୍ଦତ-ଭୁଟାନ୍ ସୀମାର ବିବାଦୀୟ କ୍ଷେତ୍ର ତଥା ଅତି ସମ୍ବେଦନଶୀଳ ଡୋକ୍ଲାମ ଉପତ୍ୟାକାରେ ଚୀନର ରାସ୍ତା ନିର୍ମାଣ କାର୍ଯ୍ୟକୁ ଭାରତ ବିରୋଧ କରିଥିଲା । ସେଥିପାଇଁ ଦୀର୍ଘ ୭୩ ଦିନ ଯାଏ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ଦେଶର କୂଟନୈତିକ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଚୀନ ଭୁଟାନର ଡୋକଲାମକୁ ନିଜର ଇଲାକା ବୋଲି ଦାବି କରୁଛି ।