ୟୁପିରେ ଚିତ୍ର ସ୍ପଷ୍ଟ ନାହିଁ: ମେନକା

ଲକ୍ଷ୍ନୌ : ବିଜେପି ସାଂସଦ ମେନକା ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ସୁଲତାନପୁରକୁ ପ୍ରତ୍ୟାଶୀମାନଙ୍କ ପ୍ରଚାର ନିମନ୍ତେ ଚାରି ଦିନିଆ ଗସ୍ତରେ ଯାଇଛନ୍ତି। ମଙ୍ଗଳବାର ଦିନ ଇସୌଲିରେ ମେନକା ପହଞ୍ଚିଛନ୍ତି। ସେଠାରେ ସାମ୍ବାଦିକମାନଙ୍କ ସହିତ ଆଲୋଚନାବେଳେ ମେନକା ଦୁଇ ପର୍ଯ୍ୟାୟର ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ତାଙ୍କ ଦଳର ସବୁ ଲୋକ ପରିଶ୍ରମ କରୁଛନ୍ତି। କିନ୍ତୁ ବର୍ତ୍ତମାନର ସ୍ଥିତି ସ୍ପଷ୍ଟ ନାହିଁ। ତେବେ ଲାଗୁଛି ତାଙ୍କ ଦଳର ପ୍ରାର୍ଥୀ ଜିତିଯିବେ। କାରଣ ବିଜେପି ପାଖରେ ଯେତିକି ସଂଗଠନ ରହିଛି ଅନ୍ୟ କାହା ପାଖରେ ତାହା ନାହିଁ। ତେଣୁ ମନଲଗାଇ କାର୍ଯ୍ୟ କଲେ ବିଜେପି ପ୍ରାର୍ଥୀମାନଙ୍କୁ କେହି ହରାଇ ପାରିବେ ନାହିଁ। ଟିକଟ ବଣ୍ଟନ ଶେଷ ଦିନରେ ହୋଇଥିବା କହି ସେ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏବେ ବି ଆଉ ୧୦ ଦିନ ଅଛି ବୋଲି ସେ କହିଛନ୍ତି।

ଗୁଜରାଟ କମ୍ପାନି ଦ୍ବାରା ୨୩ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ସଂପର୍କରେ ସେ କହିଛନ୍ତି ଏହି ଲୋକମାନେ ଏବେ ବି ଖୋଲାରେ ବୁଲୁଛନ୍ତି। କିନ୍ତୁ ଆମ ଗାଁରେ ଏକ ପିଲା ଅଛି ଯିଏ ୧୫ ହଜାର ଟଙ୍କାର ବିଜୁଳି ବିଲ୍ ଦେଇ ନଥିବାରୁ ତାଙ୍କର ଆର୍‌ସି କଟାଯାଇଛି। ତେଣୁ ଦେଶରେ ଆଇନ ସମାନ ହେଲେ ଭଲ। କାରଣ ଆମ ପାଖରେ ସବୁ ଅଛି, କେବଳ ନ୍ୟାୟର ଆବଶ୍ୟକତା ରହିଛି।

ନିକଟରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅକୁ ଜାମିନ ମିଳିବା ପ୍ରସଙ୍ଗରେ ମେନକା ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଏଥିପାଇଁ ଦଳକୁ ଦାୟୀ କରାଯିବା ଠିକ ନୁହେଁ। ଦେଶରେ ଅତି ଗରିବ ଲୋକମାନେ ଅଦାଲତରୁ ନ୍ୟାୟ ମାଗୁଛନ୍ତି। କିନ୍ତୁ ହତ୍ୟା ଅଭିଯୁକ୍ତକୁ ଯଦି ଏତେ କମ୍ ସମୟ ମଧ୍ୟରେ ନ୍ୟାୟ ମିଳିଯିବ ତା’ହେଲେ ଏହା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର