ନୂଆଦିଲ୍ଲୀ: ଗ୍ରୀଷ୍ମଛୁଟିରେ ଜମ୍ମୁ-କାଶ୍ମୀର ପରି ପାହାଡିଆ ଅଞ୍ଚଳକୁ ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀ ଆକ୍ରମଣରୁ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରି କରାଯାଇଥିବା ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)କୁ ସୋମବାର ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀ ଜନସ୍ବାର୍ଥ ନୁହେଁ ବରଂ ଆତ୍ମପ୍ରଚାର ପାଇଁ ଏପରି ମାମଲା ରୁଜୁ କରିଛନ୍ତି ବୋଲି କହିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏନ୍ କୋଟୀଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ବିଶାଲ ତିୱାରୀଙ୍କୁ ଏହା କହିଛନ୍ତି। ଆପଣ କାହିଁକି ଏଭଳି ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି? ଆପଣଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ? ଆପଣ ଏହି ପ୍ରସଙ୍ଗର ସମ୍ବେଦନଶୀଳତାକୁ ବୁଝିପାରୁନାହାନ୍ତି କି? ମୁଁ ଭାବୁଛି ଆପଣଙ୍କୁ ଏହି ଜନସ୍ୱାର୍ଥ ମାମଲା ଦାୟର କରିବା ପାଇଁ କିଛି ଦୃଷ୍ଟାନ୍ତମୂଳକ ଜରିମାନା କରାଯିବା ଉଚିତ ବୋଲି ଜଷ୍ଟିସ ସୂର୍ଯ୍ୟକାନ୍ତ ତିୱାରୀଙ୍କୁ କହିଛନ୍ତି। ଆବେଦନକାରୀ ଓକିଲ କହିଥିଲେ ଯେ ପର୍ଯ୍ୟଟକମାନଙ୍କୁ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରେ ଟାର୍ଗେଟ୍ କରାଯାଇଥିଲା। ସେଥିପାଇଁ ସେ ସେମାନଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ମାଗିଥିଲେ। ଖଣ୍ଡପୀଠ କହିଛନ୍ତି ଯେ ଆବେଦନକାରୀ ଗୋଟିଏ ପରେ ଗୋଟିଏ ଜନସ୍ୱାର୍ଥ ମାମଲା ଦାୟର କରୁଛନ୍ତି, ଯେଉଁଥିରେ ଜନସାଧାରଣଙ୍କ ପ୍ରକୃତ ସ୍ୱାର୍ଥ ବଦଳରେ ନିଜର ପ୍ରଚାର ହିଁ ପ୍ରାଥମିକ ଉଦ୍ଦେଶ୍ୟ ବୋଲି ଜଣାପଡ଼ୁଛି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆତଙ୍କବାଦ ମାମଲାର ତଦନ୍ତରେ ବିଚାରପତିମାନେ ବିଶେଷଜ୍ଞ ନୁହନ୍ତି। ଏଭଳି ଜନସ୍ୱାର୍ଥ ମାମଲା ରୁଜୁ କରିବା ପୂର୍ବରୁ ସାବଧାନ ରୁହନ୍ତୁ। ଏଭଳି ଜନସ୍ୱାର୍ଥ ମାମଲା ରୁଜୁ କରନ୍ତୁ ନାହିଁ, ଯାହା ସେନାବାହିନୀର ମନୋବଳ ଭାଙ୍ଗିବ।

Advertisment

ମାଗିଲେ ସଦ୍ୟ ରିପୋର୍ଟ: ମଣିପୁର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅଡିଓ କ୍ଲିପ୍‌ ଅଭିଯୋଗର ତଦନ୍ତ

ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ ଭୂମିକା ଥିବା ଅଭିଯୋଗ ନେଇ ଏକ ଅଡିଓ କ୍ଲିପ୍‌ ଲିକ୍‌ ହେବା ଘଟଣାର ସତ୍ୟତା ଦାବି କରି ସୁପ୍ରିମକୋର୍ଟ ଆଜି ସଦ୍ୟ ଫରେନସିକ୍‌ ରିପୋର୍ଟ ମାଗିଛନ୍ତି। ତଦନ୍ତ ଘଟଣାରେ ଏକ ସଦ୍ୟ ରିପୋର୍ଟ ଦାଖଲ କରିବାପାଇଁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଏବଂ ବିଚାରପତି ସଂଜୟ କୁମାରଙ୍କ ଖଣ୍ଡପୀଠ ଆଜି ସଲିସିଟର ଜେନେରାଲ୍‌ ତୁଷାର ମେହଟାଙ୍କ ଦ୍ବାରା ଜଉମୁଦ ଲଫାପାରେ ଦାଖଲ ହୋଇଥିବା ସିଏଫ୍‌ଏସ୍‌ଏଲ୍‌ (ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲା‌ବରେଟୋରି) ରିପୋର୍ଟ ଖୋଲିଛନ୍ତି ଏବଂ ମାମଲାର ତଦନ୍ତ ସଂକ୍ରାନ୍ତରେ ରାଜ୍ୟ ଅଧିକାରୀଙ୍କଠାରୁ ନିର୍ଦ୍ଦେଶ ଆଣିବାପାଇଁ ଆଇନ ଅଧିକାରୀଙ୍କୁ କହିଛନ୍ତି। ଆଇନ ଅଧିକାରୀ କହିଛନ୍ତି, ଏଫ୍‌ଏସ୍‌ଏଲ୍‌ ରିପୋର୍ଟ ଦାଖଲ ହୋଇଛି। ଆମକୁ ଏହାର ତଦନ୍ତ ପାଇଁ ମାସେ ସମୟ ଦରକାର। ବର୍ତ୍ତମାନ ଶାନ୍ତି ବଜାୟ ରହିଥିବାରୁ ମଣିପୁର ହାଇକୋର୍ଟ ଏହି ମାମଲାର ଶୁଣାଣି କରିପାରିବେ ଏବଂ ତଦନ୍ତ ଚାଲିପାରିବ ବୋଲି ସେ କହିଛନ୍ତି। ଆବେଦନକାରୀ ମାନବ ଅଧିକାର ଟ୍ରଷ୍ଟ୍‌ ପାଇଁ କୁକି ସଂଗଠନ (କୋହୁର) ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ କୋର୍ଟରେ ହାଜର ହୋଇ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ତଦନ୍ତ ପ୍ରସଙ୍ଗ ଏବଂ ଏହା ନିରପେକ୍ଷ ହେବା ଉଚିତ। ଏହାର ଜବାବରେ ପ୍ରଧାନ ବିଚାରପତି କହିଛନ୍ତି ଯେ ମଣିପୁରରେ ରାଷ୍ଟ୍ରପତି ଶାସନ ଚାଲିଛି ଏବଂ ଏହାକୁ ନେଇ କୌଣସି ସମସ୍ୟା ହେବନାହିଁ। କୋର୍ଟ ଜୁଲାଇ ୨୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରଖିଛନ୍ତି।