ଫିଲିପାଇନ୍ସ କିଣିବ ଭାରତର ଶକ୍ତିଶାଳୀ ସୁପରସୋନିକ କ୍ରୁଜ ମିସାଇଲ ‘ବ୍ରହ୍ମୋସ’, ଖୁବ ଶୀଘ୍ର ଚୁକ୍ତି

ନୂଆଦିଲ୍ଲୀ : ଭାରତ ଓ ଋଷିଆ ପରେ ୩ୟ ଦେଶ ଭାବେ ଫିଲିପାଇନ୍ସ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ ପାଇବାକୁ ଯାଉଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏ ନେଇ ଦୁଇ ଦେଶର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଏ ସଂପର୍କରେ ବ୍ରହ୍ମସ ଏରୋସ୍ପେଶର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣ ପାଠକ ସୂଚନା ଦେଇଛନ୍ତି ।

ଗତ ଡିସେମ୍ବର ମାସରେ ଫିଲିପାଇନ୍ସର ପ୍ରତିରକ୍ଷା ସଚିବ ଡେଲଫିନ ଲୋରେଞ୍ଜିନା କହିଥିଲେ ଯେ ତାଙ୍କ ଦେଶ ୨୦୨୦ ପ୍ରାରମ୍ଭରେ ଭାରତରୁ ୨ଟି ବ୍ୟାଟେରି ବ୍ରହ୍ମୋସ ମିସାଇଲ କିଣିବ । ଏହି ମିସାଇଲ ପାଇବାପରେ ନିଜ ଦେଶ ପ୍ରତି ଆସୁଥିବା ବିପଦର ସଫଳ ମୁକାବିଲା କରିବ ବୋଲି ଫିଲିପାଇନ୍ସ ସେନା ଆଶା କରୁଛି । ଚୀନ ସହ ଫିଲିପାଇନ୍ସର ସୀମା ବିବାଦ ଥିବାରୁ ଚୀନ ପଟୁ ବିପଦ ଆଶଙ୍କା କରୁଛି ଫିଲିପାଇନ୍ସ । ଏଥିପାଇଁ ଭାରତଠାରୁ ବ୍ରହ୍ମୋସ ମିସାଇଲ କିଣିବାକୁ ଚାହୁଁଛି । କିନ୍ତୁ ଋଷିଆ ଓ ଚୀନ ମଧ୍ୟରେ ସାମରିକ ରାଜନାମା ଥିବାରୁ ଚୀନର ଶତ୍ରୁଦେଶକୁ ବ୍ରହ୍ମୋସ ବିକ୍ରିକରିବା ପାଇଁ ଋଷିଆର ଅନୁମତି ଆବଶ୍ୟକ ଥିଲା । ତେବେ ଏଥିପାଇଁ ଋଷିଆ ଅନୁମତି ଦେଇସାରିଥିବାରୁ ଏହି ବିକ୍ରି ନେଇ କୌଣସି ପ୍ରତିବନ୍ଧକ ନାହିଁ ।

ଭାରତରୁ ବ୍ରହ୍ମୋସ ମିସାଇଲ କିଣିବା ପାଇଁ କେବଳ ଫିଲିପାଇନ୍ସ ନୁହେଁ ଦକ୍ଷିଣ-ପୂର୍ବ ଏସିଆର ଆଉ କେତେକ ଦେଶ ଯଥା ଇଣ୍ଡୋନେସିଆ, ଭିଏତନାମ ଆଦି ଆଗ୍ରହ ପ୍ରକାଶ କରିଥିବାବେଳେ, ପଶ୍ଚିମ ଏସିଆର କେତେକ ଦେଶ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର