ମୁଖ୍ୟମନ୍ତ୍ରୀ ପଦରୁ ହଟିବେ କି ଗେହଲଟ୍‌? ପାଇଲଟ ଭେଟିଲେ ଗେହଲଟଙ୍କ ବିଶ୍ୱସ୍ତ ଖାଚାରିୟାୱାସଙ୍କୁ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ଅଶୋକ ଗେହଲଟ ରହିବେ କି ନାହିଁ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ ଝୁଲି ରହିଥିବାବେଳେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସୋମବାର ରାତିରେ ଜୟପୁରସ୍ଥିତ ବାସଭବନରେ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ତଥା ଗେହଲଟଙ୍କ ଖାସ୍‌ ବିଶ୍ୱସ୍ତ ପ୍ରତାପ ସିଂ ଖଚାରିୟାୱାସଙ୍କୁ ଭେଟିଛନ୍ତି।

ଉଭୟ ନେତାଙ୍କ ମଧ୍ୟରେ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ରାଜ୍ୟରେ ସାମ୍ପ୍ରତିକ ରାଜନୈତିକ ବିକାଶ ପରିପ୍ରେକ୍ଷୀରେ ଗୁରୁତ୍ୱ ବହନ କରୁଛି।

ତେବେ ପୂର୍ବରୁ ପାଇଲଟ କ୍ୟାମ୍ପରେ ଥିବା ଏବଂ ୨୦୨୦ର ରାଜନୈତିକ ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଶିବିରକୁ ଯାଇଥିବା ଖାଚାରିୟାୱାସ ମଙ୍ଗଳବାର ଦିନ କହିଛନ୍ତି ଯେ ପାଇଲଟଙ୍କ ସହ ଆଲୋଚନା କିଛି ନୂଆ ନୁହେଁ। ତେବେ, ସେ ବୈଠକର ବିବରଣୀ ପ୍ରକାଶ କରିବାକୁ ମନା କରିଦେଇଛନ୍ତି। ଖାଚାରିୟାୱାସ୍‌ ମଧ୍ୟ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଭେଟିଥିଲେ।

ଗେହଲଟ ଦଳର ଜାତୀୟ ସଭାପତି ପଦ ପାଇଁ ନିର୍ବାଚନ ଲଢିଲେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବୀଦାର ଭାବରେ ବିବେଚନା କରାଯାଉଥିବା ପାଇଲଟ ସୋମବାର ରାତିରେ ଖାଚାରିୟାୱାସଙ୍କ ବାସଭବନକୁ ଯାଇଥିଲେ। ବୈଠକ ବିଷୟରେ ପାଇଲଟଙ୍କ ଠାରୁ ମଧ୍ୟ କୌଣସି ବିବୃତ୍ତି ମିଳି ନଥିଲା। କିନ୍ତୁ ଖଚାରିୟାୱାସ୍‌ ସଚିବାଳୟରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପାଇଲଟଙ୍କ ସହ ଆଲୋଚନା କରିବା କିଛି ନୂଆ ନୁହେଁ କାରଣ ସେ ଏବଂ ପାଇଲଟ୍‌ ରାଜ୍ୟ ବିଧାନସଭାରେ ସମାନ ଆସନରେ ବସିଛନ୍ତି। ତେବେ ଦୀର୍ଘ ଦିନର ବୃବଧାନ ପରେ ଉଭୟଙ୍କ ମଧ୍ୟରେ ବୈଠକ ହୋଇଥିଲା ବୋଲି ସେ କହିଥିଲେ। ଆମେ ସବୁକିଛି ବିଷୟରେ କଥାବାର୍ତ୍ତା କରିଥିଲୁ ଏବଂ ଆମେ ଯାହା ବିଷୟରେ କଥାବାର୍ତ୍ତା କରିଥିଲୁ ତାହା ଏଠାରେ ସାର୍ବଜନୀନ କରିହେବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର