ପାକ୍‌ ବିମାନ ଦୁର୍ଘଟଣା: ଏଟିସିର ଚେତାବନୀକୁ ୩ଥର ବେଖାତିର କରିଥିଲେ ପାଇଲଟ, ଭୂମିଠାରୁ ସଠିକ ଉଚ୍ଚତାରେ ଉଡୁ ନଥିଲା ବିମାନ

କରାଚି: ଗତ ୨୨ତାରିଖ ଅପରାହ୍ନରେ ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍‌ସର ଏକ ବିମାନ କରାଚିର ଜିନ୍ନା ଇଣ୍ଟର୍‌ନ୍ୟାସ୍‌ନାଲ୍ ଏୟାର୍‌ପୋର୍ଟରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଦୁର୍ଘଟଣା ପରେ ଏହାର କାରଣ ଜାଣିବା ପାଇଁ ତଦନ୍ତକାରୀ ଟିମ ଲାଗି ପଡିଥିବା ବେଳେ ଦୁର୍ଘଟଣାକୁ କେନ୍ଦ୍ର କରି ଗୋଟେ ପରେ ଗୋଟେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି | ଗତକାଲି ପାଇଲଟଙ୍କ ଭୁଲ ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ପାକିସ୍ତାନର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଦାବି କରିଥିବା ବେଳେ ଆଜି ବିମାନ ଟ୍ରାଫିକ୍ ନିୟନ୍ତ୍ରଣ(ଏଟିସି) ଟିମ ପାଇଲଟଙ୍କ ଆଉ ଏକ ଭୁଲକୁ ସାମ୍ନାକୁ ଆଣିଛନ୍ତି | ୩ଥର ଚେତାବନୀ ଦିଆଯାଇଥିଲେ ମଧ୍ୟ ପାଇଲଟ ବିମାନ ଉଡ଼ାଣ ନିୟମକୁ ଅବମାନନା କରି ଅବତରଣ ପାଇଁ ଚେଷ୍ଟା କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କହିଛି ପାକିସ୍ତାନର ଏଟିସି |

ଏଟିସି ଅନୁଯାୟୀ, ନିୟମ ଅନୁସାରେ ବିମାନଟି ଅବତରଣର କିଛି ସମୟ ପୂର୍ବରୁ ୭,୦୦୦ଫୁଟ ଉଚ୍ଚରେ ଉଡିବା କଥା | କିନ୍ତୁ ଲାହୋରରୁ କରାଚି ଆସିଥିବା ଏୟାରବସ୍ ଏ -୩୨୦ ବିମାନଟି ଭୂମି ଠାରୁ ୧୦,୦୦୦ ଫୁଟ ଉଚ୍ଚରେ ଉଡୁଥିବା ଦେଖି ବିମାନ ଟ୍ରାଫିକ୍ ନିୟନ୍ତ୍ରଣ (ଏଟିସି) ବିମାନକୁ ତଳକୁ ଖସାଇବା ପାଇଁ ପ୍ରଥମ ଚେତାବନୀ ଦେଇଥିଲା | ଉଚ୍ଚତା ହ୍ରାସ କରିବା ପରିବର୍ତ୍ତେ ପାଇଲଟ୍ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ, ସେ ଏହି ଉଚ୍ଚତାରେ ସନ୍ତୁଷ୍ଟ ଅଛନ୍ତି। ବିମାନ ବନ୍ଦରରୁ ବିମାନଟି ୧୦ ନଟିକାଲ ମାଇଲ ଦୂରରେ ଥିବା ବେଳେ ଏହା ଭୂମିଠାରୁ ୩,୦୦୦ଫୁଟ ଉଚ୍ଚରେ ରହିବା ପରିବର୍ତ୍ତେ ୭,୦୦୦ଫୁଟ ଉଚ୍ଚରେ ରହିଥିଲା |

PIA plane crash: 3 warnings from Air Traffic Control to lower ...
The News

ଏହା ଦେଖି ବିମାନର ଉଚ୍ଚତା ହ୍ରାସ କରିବାକୁ ପାଇଲଟଙ୍କୁ ଏଟିସି ଦ୍ୱିତୀୟ ଚେତାବନୀ ଦେଇଥିଲା। କିନ୍ତୁ ପାଇଲଟ ପୁଣିଥରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସେ ଉଚ୍ଚତା ସହ ସନ୍ତୁଷ୍ଟ | ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବା ସହ ବିମାନଟି ଅବତରଣ ପାଇଁ ପ୍ରସ୍ତୁତ ଥିବା କହିଥିଲେ | ଉଚ୍ଚତା ଠିକ ନଥିବାରୁ ବିମାନ ଅବତରଣ କରିବା ପରେ ତିନିଥର ରନୱେରେ ବିମାନ ଘଷି ହୋଇଯାଇଥିଲା | ତିନିଥର ରନୱେରେ ବିମାନ ଘଷି ହେବା ପରେ ପାଇଲଟ୍ ବିମାନଟିକୁ ପୁଣି ଥରେ ଆକାଶମାର୍ଗକୁ ନେଇ ଯାଇଥିଲେ | ଅବତରଣ କରିବାର ପ୍ରଥମ ପ୍ରୟାସ ବିଫଳ ହେବା ପରେ ଯେତେବେଳେ ବିମାନ ଭୂମି ଉପରେ ଘଷି ହେଲା ଇଞ୍ଜିନର ତୈଳ ଟ୍ୟାଙ୍କ ଏବଂ ଇନ୍ଧନ ପମ୍ପ ନଷ୍ଟ ହୋଇ ଲିକ୍ ହେବା ଆରମ୍ଭ କରିଥିଲା | ପ୍ରଥମ ଅବତରଣ ସମୟରେ ଲ୍ୟାଣ୍ଡିଂ ଗିୟର କାମ କରୁ ନଥିବା ନେଇ ପାଇଲଟ୍ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ଟିମକୁ ଜଣାଇ ନଥିବା ବେଳେ ଆକାଶମାର୍ଗରେ ବୁଲିବା ସମୟରେ ହିଁ ପାଇଲଟ୍ ଏଟିସିକୁ ଅବଗତ କରାଇଥିଲେ ଯେ ଲ୍ୟାଣ୍ଡିଂ ଗିୟର କାମ କରୁନାହିଁ |

ଏହା ଜାଣିବା ପରେ ବିମାନକୁ ୩୦୦୦ ଫୁଟକୁ ନେବାକୁ ଏଟିସି ଦ୍ୱାରା ପାଇଲଟଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ ସେ ମାତ୍ର ୧୮୦୦ ଫୁଟ ଉପରକୁ ବିମାନ ନେଇ ପାରିଥିଲେ | ଇଞ୍ଜିନ କାମ କରିବା ବନ୍ଦ କରିଦେଇ ଥିବାରୁ ଏଭଳି ଘଟିଥିବା କହିଛନ୍ତି ବିଶେଷଜ୍ଞ | ତେବେ ବିମାନଟି ଅଧିକ ଉପରକୁ ନଯାଇ ପାରି ହଠାତ ତଳକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା |

ସମ୍ବନ୍ଧିତ ଖବର