ପାଇଲଟ୍ ପ୍ରକଳ୍ପ ସଫଳ, ଆଗକୁ ଦେଖ…

ନୂଆଦିଲ୍ଲୀ : ଆଜି ଏଠାରେ ଭାରତୀୟ ବୈଜ୍ଞାନିକମାନଙ୍କୁ ସମ୍ମାନିତ କରିବା ଅବସରରେ ସେମାନଙ୍କୁ ଉତ୍ସାହିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲାକୋଟ ଆକ୍ରମଣ ପରିପ୍ରେକ୍ଷୀରେ ଦେଇଥିବା ଇସାରା ଚର୍ଚ୍ଚାର ବିଷୟ ହୋଇଛି। ଦେଶର ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ମୋଦୀ କହିଥିଲେ ଯେ ଆପଣମାନେ ଜୀବନ ସାରା ବିଜ୍ଞାନାଗାରରେ ହିଁ ଗବେଷଣାରେ ମଗ୍ନ ଥାଆନ୍ତି। ପ୍ରଥମେ ଗୋଟିଏ ନମୁନା ପ୍ରକଳ୍ପ ତିଆରି କରିବା ହେଉଛି ଆପଣମାନଙ୍କର ପରମ୍ପରା। ତେବେ ତାହାର ସଫଳତା ପରେ ମୁଖ୍ୟ ତଥା ବାସ୍ତବ ପ୍ରକଳ୍ପ ହିଁ କାର୍ଯ୍ୟକାରୀ ହୋଇଥାଏ। ଏହା ପରେ ମୋଦୀ ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ବାୟୁସେନାର ବୋମାମାଡ଼କୁ ସିଧାସଳଖ ଉଲ୍ଲେଖ ନକରି ଇଙ୍ଗିତ କରି କହିଥିଲେ ଯେ ଏବେ ପାଇଲଟ୍ ପ୍ରକଳ୍ପର ପରୀକ୍ଷା ସଫଳ ହୋଇଛି। ଏଣିକି ବାସ୍ତବ ପ୍ରକଳ୍ପର ରୂପରେଖ ଦେଖିବ। ପାକିସ୍ତାନ ଉପରେ କୌଣସି ବଡ଼ ଧରଣର ଆକ୍ରମଣକୁ ଇସାରା କରୁଥିବା ମୋଦୀଙ୍କର ଏହି ଟିପ୍ପଣୀକୁ ପରେ ବିଜେପି ପକ୍ଷରୁ ଟ୍ବିଟରରେ ପ୍ରସାରିତ କରାଯାଇଛି। ମିଗ୍‌ ପାଇଲଟ୍‌ ଅଭିନନ୍ଦନଙ୍କୁ ମୁକ୍ତ କରିବା ଲାଗି ପାକିସ୍ତାନ ରାଜି ହେବା ପରେ ମୋଦୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ତାଙ୍କର ପାଇଲଟ୍ ପ୍ରକଳ୍ପ ଅଭିନନ୍ଦନଙ୍କୁ ଇସାରା ଥିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର