ଗେହଲଟଙ୍କ ପ୍ରତି ପାଇଲଟ ନରମ, ଦଳ ଜିତିବା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ କାହାକୁ ଅଛପା ନାହିଁ। ଗେହଲଟ ସରକାରକୁ ଖୋଲାଖୋଲି ଟାର୍ଗେଟ୍‌ କରି ପାଇଲଟ୍‌ ଅନେକ ଥର କଂଗ୍ରେସ ଦଳର ଅଡ଼ୁଆ ବଢ଼ାଇଛନ୍ତି। କିନ୍ତୁ ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାରୁ କଂଗ୍ରେସ ନେତୃବୃନ୍ଦ ରାଜସ୍ଥାନରେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ତୁଟାଇବାକୁ ‌ଚେଷ୍ଟା କରିଛନ୍ତି ଏବଂ ଏଥିରେ ସଫଳ ମଧ୍ୟ ହୋଇଛନ୍ତି। ସଚିନ ପାଇଲଟ୍‌ ଆଜି ପିଟିଆଇକୁ ସାକ୍ଷାତକାର ଦେଇ କହିଛନ୍ତି , ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଯାହା ବି ସବୁ ମ‌ତଭେଦ ଥିଲା ସେସବୁକୁ ସେ ଶେଷ କରିଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼‌ଗେଙ୍କ ପରାମର୍ଶକ୍ରମେ ପାଇଲଟ୍‌ ଗେହଲଟଙ୍କ ସହ ସବୁ ବିବାଦ ତୁଟାଇଥିବା କହିଛନ୍ତି। ଦଳ ରାଜ୍ୟରେ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ପାଇଲଟ କହିଛନ୍ତି।

ପାଇଲଟ୍‌ ନିକଟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ। ଏହି ସମୟରେ ଖଡ଼ଗେ ପାଇଲଟ୍‌ଙ୍କୁ କହିଥିଲେ, ‘ସମୟ ଚାଲିଯାଏ, ପଛକୁ ଫେରେନା। ତେଣୁ ସେ ଆଗକୁ ବଢ଼ିବା ଉଚିତ। ଖଡ଼ଗେଙ୍କ ଉପଦେଶକୁ ଗ୍ରହଣ କରି ସେ ସବୁକିଛି ଭୁଲି ଆଗକୁ ବଢ଼ିବାପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ପାଇଲଟ୍‌ କହିଛନ୍ତି, ଅଶୋକ ଗେହଲଟଜୀ ମୋଠାରୁ ବୟସରେ ବହୁତ ବଡ଼। ତାଙ୍କର ଅଧିକ ଅଭିଜ୍ଞତା ଅଛି। କାନ୍ଧରେ ଅନେକ ଦାୟିତ୍ବ ମଧ୍ୟ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସାଙ୍ଗରେ ଧରି ଚାଲିବାପାଇଁ ଚେଷ୍ଟା କରୁଛନ୍ତି। ଯଦିଓ କିଛି ଭୁଲ୍‌ ବୁଝାମଣା ରହିଛି ତାହା ଏକ ବଡ଼ ପ୍ରସଙ୍ଗ ନୁହେଁ। କାରଣ କୌଣସି ବ୍ୟକ୍ତିଙ୍କଠାରୁ ଦଳ ଏବଂ ଜନସାଧାରଣ ଅଧିକ ଗୁରୁତ୍ବପୂର୍ଣ୍ଣ। ଏବେ କଂଗ୍ରେସରେ ସମସ୍ତେ ଏକଜୁଟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର