ସଙ୍ଘାଇ: ସୋମବାର ଦିନ ଗୋଟାଏ ବିମାନର ଜରୁରୀକାଳୀନ ଅବତରଣ କରାଇବାକୁ ବାଧ୍ୟ ହୋଇଥିବା ସିଚୁଆନ୍ ଏୟାର୍ଲାଇନ୍ସ୍ର ଜଣେ ସହ-ପାଇଲଟ୍ ବିମାନ କକ୍ପିଟ୍ର ଝରକାକାଚ ଖୋଲି ଯିବାରୁ ଅଧା ଯାଏଁ ପଦାକୁ ଘୋଷାରି ହୋଇ ଆସିଥିଲେ। ଏ କଥା କହିଛନ୍ତି ସେ ବିମାନର କପ୍ତାନ୍।
Sambad is now on WhatsApp
Join and get latest news updates delivered to you via WhatsApp
ଏୟାର୍ବସ୍ ଏ୩୧୯କୁ ମାନ୍ୟୁଆଲି ଅବତରଣ କରାଇ ସେ ବୈମାନିକ ଲିଉ ଚୁଆନ୍ଜିଆନ୍ ସାମାଜିକ ଗଣମାଧ୍ୟମରେ ହିରୋ ପାଲଟି ଯାଇଛନ୍ତି। ସମୁଦ୍ର ପତ୍ତନ ଠାରୁ ୩୨୦୦୦ ଫୁଟ୍ ଉଚ୍ଚକୁ ଉଠିଯାଇଥିବା ବିମାନର କକ୍ପିଟ୍କୁ ସେତେବେଳେ ପଶି ଆସୁଥାଏ କାନଫଟା ଶବ୍ଦ।
ହଠାତ୍ ମନେହେଲା କକ୍ପିଟ୍ ଚାପ ହରାଇ ଚାଲିଛି ଏବଂ ଉତ୍ତାପ ମଧ୍ୟ କମିଯାଉଛି। ଦେଖିଲାବେଳକୁ କକ୍ପିଟ୍ର ଡାହଣପଟ ଝରକା ଭାଙ୍ଗିଯାଇଛି।
ପାଇଲଟ୍ କହନ୍ତି: କୌଣସି ସତର୍କ ସୂଚନା ନ ଥିଲା। ହଠାତ୍ ଝରକାଟି ଚଡ଼କି ଯାଇ ପ୍ରଚଣ୍ଡ ଶବ୍ଦ କଲା। ଦେଖିଲି, ମୋ ସହ ଥିବା ଅନ୍ୟ ପାଇଲଟ୍ ଜଣକ ଭଙ୍ଗା ଝରକା ବାଟେ ଅଧା ବାହାରକୁ ଘୋଷାରି ହୋଇ ଯାଇଛନ୍ତି।
କକ୍ପିଟ୍ର ସମସ୍ ଜିନିଷ ଶୂନ୍ୟରେ ଭାସୁଥିଲା। ଅଧିକାଂଶ ଉପକରଣ କାମ କଲା ନାହିଁ। ମତେ ରେଡିଓ ମଧ୍ୟ ଶୁଭିଲା ନାହିଁ। ବିମାନଟି ଏଡ଼େ ଜୋର୍ରେ କମ୍ପିଲା ଯେ ମୁଁ ଗାଉଗ୍ ମଧ୍ୟ ପଢ଼ି ପାରିଲି ନାହିଁ।
ସହ-ପାଇଲଟ୍ ଜଣକ ସିଟ୍ ବେଲ୍ଟ୍ ଭିଡ଼ିଥିବାରୁ ଅଟକି ରହିଯାଇଥିଲେ। ସେ ରାମ୍ପୁଡ଼ି ହେବା ସହ ତାଙ୍କ ମଣିବନ୍ଧ ଜଖମ ହୋଇଛି। ଏଥିରେ ଆଉ ଜଣେ କ୍ୟାବିନ୍ କ୍ରୁ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି। ବିମାନରେ ଥିବା ବାକି ୧୧୯ ଜଣ ଯାତ୍ରୀ ନିରାପଦ ଅଛନ୍ତି।
ସୋମବାର ଦିନ ସିଚୁଆନ୍ ଏୟାର୍ଲାଇନ୍ସ୍ର ୩ୟୁ୮୬୩୩ ବିମାନ ସୋମବାର ଦିନ କେନ୍ଦ୍ରୀୟ ଚୀନ୍ ପୌରପାଳିକାର ଚୋଙ୍ଗ୍କିଙ୍ଗ୍ରୁ ତିବ୍ଦତୀୟ ରାଜଧାନୀ ଲାସା ଅଭିମୁଖେ ଯାତ୍ରା କରୁଥିଲା। ଏହା ଦକ୍ଷିଣପଶ୍ଚିମ ସହର ଚେଙ୍ଗ୍ଡୁ ଠାରେ ଜରୁରୀ ଅବତରଣ କରିଥିଲା। ବିମାନଟି
ଉଡ଼ାଣ ଆରମ୍ଭ କରିବାର ଅଧ ଘଣ୍ଟାଏ ପରେ ଏହାର ଝରକା ଭାଙ୍ଗି ପଡ଼ିଥିଲା।
ଫ୍ରାନ୍ସ୍ର ବିଏଇଏ ଆକ୍ସିଡେଣ୍ଟ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି ଚୀନ୍ ଯାଇ ଏହି ଅଘଟଣର ତଦନ୍ତ କରିବ।