ଉଡ଼ନ୍ତା ବିମାନରେ ପାଇଲଟଙ୍କ ସ୍ବାସ୍ଥ୍ୟ ସଙ୍କଟ: ଯାତ୍ରୀ ସମ୍ବାଳିନେଲେ ଉଡ଼ାଣ

କଲମ୍ବସ : ଦକ୍ଷିଣ-ପଶ୍ଚିମ ଏୟାରଲାଇନ୍ସର ଜଣେ ପାଇଲଟଙ୍କ ମଧ୍ୟ-ଆକାଶରେ ଗୁରୁତର ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବାପରେ ଉକ୍ତ ବିମାନରେ ଯାତ୍ରୀ ଭାବେ ବସି ଲସ୍ ଭେଗସରୁ ଓହିଓର କଲମ୍ବସ ଯାଉଥିବା ଅନ୍ୟ ଏକ ସଂସ୍ଥାର ପାଇଲଟ୍‌ ପରିସ୍ଥିତିକୁ ସମ୍ଭାଳି ନେଇଥିବା ଜଣାପଡ଼ିଛି।

ବୁଧବାର ଲସ ଭେଗସରୁ ବିମାନଟି ଆକାଶକୁ ଉଠିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଡ଼ନ୍ତା ବିମାନର ପାଇଲଟ ଜଣକ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଏ ସମ୍ବନ୍ଧରେ ରେଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ପାଇବା ମାତ୍ରେ ଯାତ୍ରୀ ଭାବେ ବସିଥିବା ଅନ୍ୟ ବିମାନ ସଂସ୍ଥାର ପାଇଲଟ ଜଣକ ପାଇଲଟଙ୍କ ଡେକ୍‌କୁ ଯାଇ ତାଙ୍କ ହାତରୁ ବିମାନ ଚଳାଇବା ଦାୟିତ୍ବ ନେଇଥିଲେ। ସେ ବିମାନରେ ଥିବା ଜଣେ ନର୍ସ ମଧ୍ୟ ଅସୁସ୍ଥ ପାଇଲଟ୍‌ଙ୍କ ଯତ୍ନ ନେଇଥିଲେ। ଏହାଦ୍ବାରା ଏକ ବିରାଟ ବିପର୍ଯ୍ୟୟରୁ ବିମାନ ତଥା ବିମାନଯାତ୍ରୀମାନେ ରକ୍ଷା ପାଇଥିଲେ।

ଅସୁସ୍ଥ ପାଇଲଟଙ୍କର ବର୍ତ୍ତମାନ ଅବସ୍ଥା ବିଷୟରେ କିଛି ସୂଚନା ମିଳିନାହିଁ। ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେବାର ଆବଶ୍ୟକତା ଥିବାରୁ ଯାତ୍ରୀ-ପାଇଲଟ୍ ଜଣକ ବିମାନକୁ ପୁଣି ଫେରାଇ ଆଣି ଲସ ଭେଗସରେ ନିରାପଦରେ ଅବତରଣ କରାଇଥିଲେ। ଏହାପରେ ବିମାନ ସଂସ୍ଥା ଅନ୍ୟ ପାଇଲଟଙ୍କ ଦ୍ବାରା ବିମାନକୁ ପୁଣି କଳମ୍ବସ ଅଭିମୁଖେ ଉଡ଼ାଯାଇଥିଲା। ଫେଡେରାଲ ଏଭିଏସନ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର