ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିରୋଧରେ ଦେଇଥିବା ‘ଗଦ୍ଦାର’ ଟିପ୍ପଣୀ ପାଇଁ ରାଜସ୍ଥାନ ରାଜନୀତି ସରଗରମ ରହିଥିବା ବେଳେ ଆଜି ଗେହଲଟ ଏବଂ ପାଇଲଟ୍‌ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜସ୍ଥାନରେ ସବୁକିଛି ଠିକ୍‌ ଅଛି ବୋଲି ଜଣାଇବାକୁ ଉଭୟ ଗେହଲଟ ଏବଂ ପାଇଲଟ ଆଜି ଏକାଠି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଉଭୟ ନେତା ଡିସେମ୍ବର ୪ ତାରିଖରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ରାଜ୍ୟରେ ଆଶାତୀତ ସମର୍ଥନ ମିଳିବ ବୋଲି କହିଛନ୍ତି।

Advertisment

ପାଇଲଟ କହିଛନ୍ତି, ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାକୁ ରାଜସ୍ଥାନରେ ବିପୁଳ ଉତ୍ସାହର ସହ ସ୍ବାଗତ କରାଯିବ। ରାଜ୍ୟରେ ୧୨ ଦିନ ଧରି ଯାତ୍ରା ଚାଲିବ। ସବୁ ଶ୍ରେଣୀର ଲୋକଙ୍କ ଅଂଶଗ୍ରହଣ ସହ ଏହା ଏକ ଐତିହାସିକ ଯାତ୍ରା ହେବ ବୋଲି ସେ କହିଛନ୍ତି। ଗେହଲଟ କହିଛନ୍ତି, ରାହୁଲ ଗାନ୍ଧି ଆମକୁ ଦଳର ସମ୍ପତ୍ତି ବୋଲି କହିବା ପରେ କ୍ଷମତା କନ୍ଦଳ ସଂକ୍ରାନ୍ତରେ ଆ‌ଉ କିଛି କହିବାର ନାହିଁ। ଗେହଲଟ କହିଛନ୍ତି, ଦଳ ଆମ ପାଇଁ ସବୁଠୁ ବଡ଼। ଆମେ ଚାହୁଛୁ ଦଳ ଆଗକୁ ବଢ଼ୁ ଏବଂ ପୂର୍ବ ଗୌରବ ଫେରି ପାଉ।