ଅର୍ଥ ବିଲ୍‌ ଆଲୋଚନାରେ ପିନାକୀଙ୍କ କଠୋର ସମାଲୋଚନା: ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରୀକରଣ ସ୍ବପ୍ନ ବିଫଳ ହୋଇଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମୁଦ୍ରୀକରଣ ସ୍ବପ୍ନ ମିଥ୍ୟା ସାବ୍ୟସ୍ତ ହୋଇଛି। ଶୁକ୍ରବାର ଦିନ ଅର୍ଥ ବିଲ୍‌ ଆଲୋଚନାରେ ଭାଗ ନେବା ଅବସରରେ ବିମୁଦ୍ରୀକରଣକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ଲୋକସଭା ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର।

ଶ୍ରୀ ମିଶ୍ର କହିଲେ, କଳାଧନକୁ ବାହାର କରିବା ତଥା ଜାଲ ନୋଟ ସମସ୍ୟାକୁ ଦୂର କରିବା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ସ୍ବପ୍ନ ମିଛ ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ୨୦୧୬ ନଭେମ୍ବର ୮ରେ ଦେଶରୁ କଳାଧନକୁ ଅପସାରଣ କରିବା, ଦେଶରେ ଡିଜିଟାଲ ଅର୍ଥନୀତିର ପ୍ରଚଳନ ତଥା ନକଲି ନୋଟ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ବିମୁଦ୍ରୀକରଣ ଘୋଷଣା କରିଥିଲେ। ଶ୍ରୀ ମୋଦୀଙ୍କ ମହତ ଉଦ୍ଦେଶ୍ୟକୁ ବିଶ୍ବାସ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ବିମୁଦ୍ରୀକରଣକୁ ସମର୍ଥନ କରିଥିଲେ। ଏହି ପ୍ରକ୍ରିୟାରେ ଦେଶରେ ଯେଉଁ ୧୬ ଲକ୍ଷ କୋଟି ଟଙ୍କାର ବିମୁଦ୍ରିକରଣ ହୋଇଥିଲା, ତାହା ପୁଣି ସରକାରୀ ବ୍ୟବସ୍ଥାକୁ ଫେରି ଆସିଥିଲା। ଏହା ସହ ୩୦ ହଜାର କୋଟି ଟଙ୍କାର କଳା ଟଙ୍କା ମଧ୍ୟ ସରକାରୀ ବ୍ୟବସ୍ଥାକୁ ପଶିଆସିଥିଲା।

ଶ୍ରୀ ମିଶ୍ର କହିଲେ, କଳାଧନରୁ ଆଦାୟ ହୋଇଥିବା କର ପରିମାଣ ସମ୍ପର୍କରେ ସରକାର ନିରବ। ବର୍ତ୍ତମାନ ଦେଶରେ ମୁଦ୍ରା ପ୍ରଚଳନର ସ୍ଥିତି ଉଲ୍ଲେଖ କରି ସେ କହିଲେ, ୨୦୧୬ ରେ ୧୬ ଲକ୍ଷ କୋଟି ଟଙ୍କାର ମୁଦ୍ରା ପ୍ରଚଳନ ଥିବାବେଳେ ଆଜିର ସମୟରେ ୨୯ ଲକ୍ଷ କୋଟି ଟଙ୍କାର ମୁଦ୍ରା ପ୍ରଚଳନ ରହିଛି। ଯାହାକି ପାଖାପାଖି ଦୁଇ ଗୁଣ । ବର୍ତ୍ତମାନର ସରକାରଙ୍କୁ କେଉଁଠି ନା କେଉଁଠି ଏହା ସ୍ବୀକାର କରିବାକୁ ହେବ ଯେ ଷାଠିଏ, ସତୁରି ଓ ଅଶି ଦଶକରେ କଂଗ୍ରେସ ଦଳରେ ଯେଉଁ କଳାଧନର ଅଭିଯୋଗ ଥିଲା, ସେମାନଙ୍କ ଠାରୁ ବର୍ତ୍ତମାନର ସରକାର ଭିନ୍ନ ନୁହନ୍ତି। ସେ କହିଲେ, କ୍ରିପ୍‌ଟୋକରେନ୍ସି ପ୍ରସଙ୍ଗରେ ବର୍ତ୍ତମାନର ସରକାର ଅଧିକ ମାତ୍ରାରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ବର୍ତ୍ତମାନର ସରକାର କ୍ରିପଟୋକରେନ୍ସି ବ୍ୟାପାରରେ ଏହାକୁ ପାପ ବୋଲି ଧାରଣା ସୃଷ୍ଟି କରୁଛନ୍ତି। ଆରବିଆଇ ଗଭର୍ଣ୍ଣର କହିଛନ୍ତି କ୍ରିପଟୋ‌କରେନ୍ସି ଗୋଟିଏ ‘ହଟ ଏୟାର’। ତେବେ ବର୍ତ୍ତମାନର ସରକାର ‘ହଟ ଏୟାର’ ଉପରେ କର ଲଗାଇବାକୁ ଚାହୁଁଛନ୍ତି। ଆଲୋଚନା କାଳରେ ପିନାକୀ କଠୋର ଭାଷାରେ ସରକାରଙ୍କୁ ସମାଲୋଚନା କରିଥିଲେ ମଧ୍ୟ ଅର୍ଥ ବିଲକୁ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧିତ ଖବର