ଗୋଲାପୀ ହୋଇଗଲା ରାସ୍ତା, ଲୋକ କହିଲେ ‘ବୋହିଲା ରକ୍ତର ନଦୀ’

ଜାକର୍ତ୍ତା: ଗୋଲାପୀ ହୋଇଗଲା ରାସ୍ତା | ସୋସିଆଲ ମିଡିଆରେ ଇଣ୍ଡୋନେସିଆର ଏକ ଗାଁର ଚିତ୍ର ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଗାଁ ର ରାସ୍ତାରେ ଗୋଲାପୀ ରଙ୍ଗର ପାଣି ପ୍ରବାହିତ ହେଉଥିବାର ଦେଖି କେହି କେହି ‘ରକ୍ତ ନଦୀ’ ପ୍ରବାହିତ ହେଉଥିବାର କହିଥିଲେ | କିଛି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଗୋଲାପୀ ପାଣିକୁ ନେଇ ଗୁଜବ ମଧ୍ୟ ପ୍ରଚାର କରାଇଥିଲେ | କିନ୍ତୁ ସତ ଅନୁସନ୍ଧାନ ପରେ ଗୋଲାପୀ ପାଣିର ରହସ୍ୟ ବାବଦରେ ଜଣାପଡିଛି |

ମିଳିଥିବା ସୂଚନା ମୁତାବକ ଇଣ୍ଡୋନେସିଆର ଜାଭାର ପେକଲୋଗନ ସହରରେ ପ୍ରବଳ ବର୍ଷା ହୋଇଥିଲା | ଆଉ ବର୍ଷା ପାଣି ଏକ ଡ଼ାଈଙ୍ଗ କମ୍ପାନୀ(କପଡାକୁ ରଙ୍ଗ କରାଯାଉଥିବା କାରଖାନା)ରେ ପଶିଯାଇଥିଲା | ଯାହା ଫଳରେ କମ୍ପାନୀରେ କପଡ଼ାକୁ ରଙ୍ଗ ପାଇଁ ବ୍ୟବହାର ହେଉଥିବା କେମିକାଲରେ ବର୍ଷା ପାଣି ମିଶି ରଙ୍ଗ ଗୋଲାପୀ ହୋଇ ରାସ୍ତାରେ ବୋହିଥିଲା |

ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା | ଏଠାରେ ସୂଚନା ଥାଉ କି ରାସ୍ତାରେ ରଙ୍ଗୀନ ପାଣି ବୋହିବା କିଛି ନୂଆ କଥା ନୁହେଁ | ଗତ ମାସରେ ମଧ୍ୟ ଇଣ୍ଡୋନେସିଆର ଉତ୍ତର ପ୍ରାନ୍ତରେ ଥିବା ଏକ ସହରରେ ବାଇଗଣୀ ରଙ୍ଗର ପାଣି ବୋହୁଥିବାର ଦେଖିବାକୁ ମିଳିଥିଲା | ପରେ ଜଣାପଡିଥିଲା ଯେ, ଶାଢ଼ୀରେ ଡିଜାଇନ କରୁଥିବା ଏକ କାରଖାନାରେ ପାଣି ପଶିଯାଇ ବର୍ଷା ପାଣି ବାଇଗଣୀ ରଙ୍ଗ ହୋଇଯାଇଥିଲା |

ସମ୍ବନ୍ଧିତ ଖବର