ଓଡ଼ିଶାର ୪୩.୮୭ ଲକ୍ଷ ଗ୍ରାମୀଣ ପରିବାରକୁ ପାଇପ ଜଳ

ଭୁବନେଶ୍ବର : ଓଡ଼ିଶା ସମେତ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସହଯୋଗରେ ଭାରତ ସରକାର ଜଳଜୀବନ ମିସନ କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ୨୦୨୪ ସୁଦ୍ଧା ଦେଶର ସବୁ ଘରକୁ ପାଇପ ଜଳ ସଂଯୋଗ ବ୍ୟବସ୍ଥା ଯୋଗାଇ ଦେବା ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ଓଡ଼ିଶାର ଜଳକ୍ଲିଷ୍ଟ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ରାଜ୍ୟର ୮୮.୫୭ ଲକ୍ଷ ଗ୍ରାମୀଣ ପରିବାର ମଧ୍ୟରୁ ୨୦୨୨ ଜୁଲାଇ ୧୮ ସୁଦ୍ଧା ୪୩.୮୭ ଲକ୍ଷ ପରିବାରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଲୋକସଭା ବିଜେଡି ସଦସ୍ୟ ଅନୁଭବ ମହାନ୍ତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି।

ଶ୍ରୀ ମହାନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କଠାରୁ ପାଞ୍ଚଟି ପ୍ରସଙ୍ଗରେ ଉତ୍ତର ମାଗିଥିଲେ। ଏହାର ଉତ୍ତରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଟେଲ କହିଥିଲେ ଯେ ଓଡ଼ିଶା ସରକାରଙ୍କ ସୂଚନା ଅନୁସାରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ଗଭୀର ନଳକୂପମାନ ବସାଯାଉଛି । ଏହାଛଡ଼ା ଏସବୁ ଗଭୀର ନଳକୂପର ଜଳଉତ୍ସ ତଥା ଅନ୍ୟାନ୍ୟ ମଧୁର ଜଳ ଉତ୍ସରେ ଲୁଣିପାଣି ଯେପରି ନ ମିଶେ ସେଥିପାଇଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉଛି। ସେହିଭଳି ଯେଉଁଠି ମଧୁର ଜଳ ଉତ୍ସ ରହିଛି ସେଠାରେ ଭୂତଳ ଜଳକୁ ପାଇପ୍‌ ଯୋଗେ ଲୋକଙ୍କୁ ଯୋଗାଇ ଦିଆଯାଉଛି। ଲୁଣାଞ୍ଚଳରେ ବୃହତ୍‌ ପାଇପ ଜଳ ଯୋଗାଣ ପ୍ରକଳ୍ପରେ ପାଣି ଯୋଗାଇ ଦିଆଯାଉଛି। ଲୁଣାଞ୍ଚଳ ବୃହତ୍‌ ପାଇପ ଜଳ ଯୋଗାଣ ଯୋଜନାରେ ଚିରସ୍ରୋତା ନଦୀରେ ଇନ୍‌ଟେକ ୱେଲ କରି ପମ୍ପ ଦ୍ୱାରା ପାଣି ଉଠାଇ ତାହାକୁ ବିଶୋଧନ କରି ଲୋକଙ୍କୁ ପ୍ରଦାନ କରାଯାଉଛି। ମନ୍ତ୍ରୀ କହିଛନ୍ତି, ଜଳଜୀବନ ମିସନରେ ୨୦୨୪ ସୁଦ୍ଧା ଦେଶର ସବୁ ଘରକୁ ପାଇପ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହଯୋଗରେ କାମ କରୁଛନ୍ତି । ଏହି ଯୋଜନାରେ ଜଳ କ୍ଲିଷ୍ଟ ଅଞ୍ଚଳକୁ ଚିହ୍ନଟ କରିବା ସହିତ ଜଳର ମାନ ପରୀକ୍ଷା କରିବାକୁ ଅଗ୍ରାଧିକାର ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ୨୦୨୨ ଜୁଲାଇ ୧୮ ତାରିଖ ସୁଦ୍ଧା ଓଡିଶାର ୮୮.୫୭ ଲକ୍ଷ ଗ୍ରାମୀଣ ପରିବାର ମଧ୍ୟରୁ ୪୩. ୮୭ ଲକ୍ଷ ପରିବାରଙ୍କ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ସୁବିଧା ଯୋଗାଇ ଦିଆଯାଇଛି । ଏଥିରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଳା ସମୂହ ଅନ୍ତର୍ଭୁକ୍ତ।

ଓଡିଶାର ସହରାଞ୍ଚଳରେ “ଅମୃତ” ଯୋଜନାରେ ନିରାପଦ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଚାଲିଛି । ରାଜ୍ୟର ନ ଟି ସହର ଓ ଛଅଟି ଉପକୂଳ ଅଞ୍ଚଳ ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି । ଓଡ଼ିଶା ସରକାର ଯେଉଁ ୭୨ଟି ପ୍ରକଳ୍ପର ପ୍ରସ୍ତାବ ରାଜ୍ୟ ଜଳ କ୍ରିୟାନୁଷ୍ଠାନ ଯୋଜନା-୧ (ଷ୍ଟେଟ ୱାଟର ଆକ୍ସନ ପ୍ଲାନ-୧)ରେ ଦେଇଥିଲେ ତାହାକୁ କେନ୍ଦ୍ର ଆବାସ ଓ ସହରାଞ୍ଚଳ ମନ୍ତ୍ରଣାଳୟ ଅନୁମୋଦନ କରିଛି । ପାନୀୟ ଜଳ ଯୋଗାଇବାର ଯୋଜନା ପ୍ରସ୍ତୁତି, ତାହାର ଅନୁମୋଦନ ଓ କାର୍ଯ୍ୟକାରିତା ଦାୟିତ୍ୱ /କ୍ଷମତା ଓଡ଼ିଶା ସମେତ ରାଜ୍ୟମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଓଡ଼ିଶାର ଉପକୂଳ ଅଞ୍ଚଳରେ ସାଲାଇନ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି। ସେହିଭଳି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂତଳ ଓ ଭୂପୃଷ୍ଠ ଜଳଉତ୍ସ ଲୁଣାପାଣିର ପ୍ରଭାବରେ ପ୍ରଦୂଷିତ ହେଉଥିବା ଘେନି କୌଣସି ସର୍ଭେ ଏ ଯାଏ କରାଯାଇନାହିଁ ବୋଲି ଓଡ଼ିଶାର ସରକାରଙ୍କ ରିପୋର୍ଟରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର