ଏପ୍ରିଲ୧୭ରେ ପିପିଲି ଉପନିର୍ବାଚନ: ୨୩ରେ ବିଜ୍ଞପ୍ତି, ମେ’୨ରେ ଫଳାଫଳ

ମହାରଥୀଙ୍କ ପରିବାର ପ୍ରମୁଖ ଦାବିଦାର, ନୂଆ ମୁହଁ ଦେଇପାରେ କଂଗ୍ରେସ, ଆଶ୍ରିତଙ୍କ ସପକ୍ଷରେ ବିଜେପିର ବୈଠକ

ଭୁବନେଶ୍ବର/ନୂଆଦିଲ୍ଲୀ: ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ଏଥିପାଇଁ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ରେ ରଖାଯାଇଛି। ମାର୍ଚ୍ଚ ୩୧ରେ ନାମାଙ୍କନଗୁଡ଼ିକ ଯାଞ୍ଚ ହେବ ଓ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରଖାଯାଇଛି। ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ମଧ୍ୟ ପ୍ରକାଶ ପାଇବ। ସୂଚନାଯୋଗ୍ୟ ଯେ ୨୦୨୦ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲିରେ ଉପନିର୍ବାଚନ ହେଉଛି।

ସେପଟେ ପିପିଲି ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇସାରିଲାଣି। ଆଜି ତାରିଖ ଘୋଷଣା ହେବା ମାତ୍ରେ ଭୁବନେଶ୍ବରରେ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ପ୍ରଭାରୀ ଡି ପୁରନ୍ଦେଶ୍ବରୀଙ୍କ ସମେତ ପୁରୀର ବିଜେପି ବିଧାୟକ ଓ କିଛି ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ପ୍ରାୟ ନିଶ୍ଚିତ। ତେବେ ଏ ନେଇ ବିଧିବଦ୍ଧ ଭାବେ ପ୍ରକ୍ରିୟା ହୋଇ ଘୋଷଣା ହେବ। ଆଜି ବୈଠକରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏହି ଆସନକୁ ଯେମିତି ହେଲେ ବି ଅକ୍ତିଆର କରିବା ଲାଗି ଆହ୍ବାନ ଦେଇଛନ୍ତି। ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ରଣନୀତି ଆଲୋଚନା ହୋଇଛି। ଯେହେତୁ ନିକଟରେ ପଞ୍ଚାୟତ ନିର୍ବାଚନରେ ବିଜେପି ସଫଳତା ପାଇଛି, ଏଣୁ ଏହି ସଫଳତା ଦୋହରାଇବା ଲାଗି ବିଜେପି ନେତାମାନେ ଆଜି ନିଷ୍ପତ୍ତି ନେଇଛନ୍ତି। ଗତ ସାଧାରଣ ନିର୍ବାଚନ ପରେ ବିଜେପୁର, ତିର୍ତ୍ତୋଲ, ବାଲେଶ୍ବର କୌଣସି ଆସନରେ ବିଜେପି ଉପନିର୍ବାଚନ ଜିତିନାହିଁ। ବରଂ ବାଲେଶ୍ବର ଆସନ ଦଳ ହାତଛଡ଼ା କରିଥିଲା। ଏଣୁ ପିପିଲି ଆସନ ଜିଣି ଏହାକୁ ଭରଣା କରିବା ଏବେ ଦଳ ପାଇଁ ଆହ୍ବାନ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି।

କଂଗ୍ରେସ ଇତିମଧ୍ୟରେ ପିପିଲିରେ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ପିସିସି ସଭାପତିଙ୍କ ଠାରୁ ଆରମ୍ଭକରି ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ଗାନ୍ଧୀଙ୍କ ଓଡ଼ିଶା ଆଗମନ ଅବସରରେ ଏହି କାର୍ଯ୍ୟକ୍ରମ ହୋଇଥିଲେ ହେଁ ଏହାଦ୍ବାରା କର୍ମୀଙ୍କୁ ଦଳ ସକ୍ରିୟ କରିଛି। କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ କହିଛନ୍ତି, ଦଳ ସଂଗଠିତ ଭାବେ ଲଢ଼ିବ। ଖୁବଶୀଘ୍ର ପିସିସି ସଭାପତି ଏ ସଂକ୍ରାନ୍ତରେ ରଣନୀତି ପ୍ରସ୍ତୁତ କରିବେ। ଅନ୍ୟପକ୍ଷରେ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିପିଲିରେ କଂଗ୍ରେସ ନୂଆ ମୁହଁ ଦେବା ସପକ୍ଷରେ ପ୍ରସ୍ତୁତି ଚଳାଇଛି।
ବିଜେଡି ପିପିଲି ପାଇଁ ଦଳର ବରିଷ୍ଠ ବିଧାୟକ ପ୍ରତାପ ଦେବଙ୍କୁ ଢେର୍ ଦିନ ପୂର୍ବରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ଶ୍ରୀ ଦେବ କହିଛନ୍ତି ସବୁ ଉପନିର୍ବାଚନକୁ ବିଜେଡି ଅତି ଗୁରୁତ୍ବ ଦେଇଥାଏ। ସ୍ବାଭାବିକ ଭାବେ ପିପିଲି କ୍ଷେତ୍ରରେ ବି ଅନୁରୂପ ଭାବେ ଦଳ ରଣନୀତି କରୁଛି। ଏହି ଆସନରେ କିଏ ଦଳର ପ୍ରାର୍ଥୀ ହେବ, ସେନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ ଓ ଖୁବ୍ ଶୀଘ୍ର ଘୋଷଣା ହେବ। କେବଳ ସେତିକି ନୁହେଁ, କେଉଁ କେଉଁ ନେତାମାନଙ୍କୁ ଦାୟିତ୍ବ ଦିଆଯିବ ସେ ସଂକ୍ରାନ୍ତରେ ବି ଦିନେ ଦୁଇଦିନ ମଧ୍ୟରେ ଦଳ ତାଲିକା ପ୍ରକାଶ କରିବ ଓ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭହେବ। ଉଲ୍ଲେଖଥାଉକି, ପିପିଲିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ୬୮ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ତେବେ ବିଜେଡି ଶୀର୍ଷମହଲର ଖବର ଅନୁସାରେ, ଦିବଂଗତ ବିଧାୟକ ମହାରଥୀଙ୍କ ପରିବାରକୁ ହିଁ ଟିକେଟ୍ ମିଳିବା ସମ୍ଭାବନା ଅଧିକ। ପତ୍ନୀ ପ୍ରତିଭା ମହାରଥୀ କିମ୍ବା ପୁତ୍ର ରୁଦ୍ର ମହାରଥୀଙ୍କୁ ଟିକେଟ୍ ମିଳିବ। ଦଳର ଆବଶ୍ୟକତା ଦେଖି ନବୀନ ପଟ୍ଟନାୟକ ନିଷ୍ପତ୍ତି େନବେ।

ଉଲ୍ଲେଖଯୋଗ୍ୟ ଯେ ଭାରତର ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ତାମିଲନାଡୁ, କେରଳ, ଆସାମ, ପଶ୍ଚିମବଙ୍ଗ ରାଜ୍ୟ ସହିତ ପୁଡୁଚେରି ବିଧାନସଭା ପାଇଁ ନିର୍ବାଚନ ହେଉଛି। ଏଥି ସହ ଦେଶର ୨ଟି ଲୋକସଭା ନିର୍ବାଚନମଣ୍ଡଳୀ ଓ ୧୪ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବ। ତେବେ ଉପନିର୍ବାଚନ ଗୁଡ଼ିକ ଏପ୍ରିଲ ୧୭ ତାରିଖରେ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ଆଜି ତାରିଖ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର