ସେ‌ପ୍ଟେମ୍ବର ୩୦ରେ ପିପିଲି ବିଧାନସଭା ଉପନିର୍ବାଚନ

ନୂଆଦିଲ୍ଲୀ: ‌ସେପଟେମ୍ବର ୩୦ରେ  ପିପିଲି ଉପ-ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିସନ ପକ୍ଷରୁ ଏକ ପ୍ରେସ ଇସ୍ତାହାର ଜରିଆରେ ଏହି ଘୋଷଣା କରାଯାଇଛି । ଘୋଷଣା ଅନୁଯାୟୀ, ୩୦ରେ ଭୋଟ ପରେ  ଅକ୍ଟୋବର ୩ ତାରିଖରେ ଗଣତି ହେବ । ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୧୩ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧୪ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଓ ୧୬  ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ଏହାପୂର୍ବରୁ ପିପିଲି ଉପନିର୍ବାଚନ ଦୁଇ ଦୁଇଥର ସ୍ଥଗିତ ହୋଇଛି । ଉପନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖ ଘୁଞ୍ଚାଯାଇଥିଲା । ପରେ କରୋନାର ଦ୍ୱିତୀୟ ଲହରର ପ୍ରକୋପକୁ ଦୃଷ୍ଟିରେ ରଖି ନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ ରଖିଥିଲେ ନିର୍ବାଚନ କମିସନ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ-ନିର୍ବାଚନ ହେଉଛି । ପୂର୍ବରୁ ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଆଶ୍ରିତ ପଟ୍ଟନାୟକ । ସେହିଭଳି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଦେହାନ୍ତ ପରେ ଦଳ ଏଠାରେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରାର୍ଥୀ କରିଥିଲା । ତେବେ ପିପିଲି ବାଜି କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।

ସମ୍ବନ୍ଧିତ ଖବର