ଚୋରି ଅଭିଯୋଗରେ ପୀୟୂଷ ଗୋୟଲଙ୍କ ଘରୋଇ ସହାୟକ ଗିରଫ

ମୁମ୍ବାଇ: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ବାସଭବନରେ ଜଣେ ଘରୋଇ ସହାୟକଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ଚୋରି ଏବଂ ଗୁରୁତ୍ବପୂର୍ଣ୍ଣ ଆଇଟି ଆଇନ ଅଧୀନରେ ପିୟୂଷଙ୍କ ଘରୋଇ ସହାୟକଙ୍କୁ ପୁଲିସ ଗିରଫ କରିଛି। ବିଷ୍ଣୁ କୁମାର ବିଶ୍ବକର୍ମା ନାମକ ଜଣେ ୨୮ ବର୍ଷୀୟ ବ୍ୟକ୍ତି ପୀୟୂଷ ଗୋୟଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଘରୋଇ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ତେବେ ପୀୟୂଷଙ୍କ ବାସଭବନରୁ କିଛି ସିଲଭର ତାର ଏବଂ ତମ୍ବା ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିବାରେ ବିଶ୍ବକର୍ମାଙ୍କ ବିରୋଧ‌ରେ ଗମଦେବୀ ପୁଲିସରେ ଏଫ୍‌ଆ‌ଇଆର ରୁଜୁ ହୋଇଥିଲା। ସେପ୍ଟେମ୍ବର ୧୬ରୁ ୧୮ ମଧ୍ୟରେ ଚୋରି ହୋଇଥିବା ଜଣାପଡ଼ିଛି। ପରେ ପୁଲିସ ଏହି ଘଟଣାରେ ଖୋଳତାଡ଼ ଆରମ୍ଭ କରିଥିଲା ଏବଂ ବିଶ୍ବକର୍ମାଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। ତେବେ ପୁଲିସ ସନ୍ଦେହ କରୁଛି ଯେ ପୀୟୂଷ ଗୋୟଲଙ୍କ ବ୍ୟକ୍ତିଗତ କମ୍ପ୍ୟୁଟର୍‌ରୁ କିଛି ସରକାରୀ ତଥ୍ୟ ଚୋରି ହୋଇଛି।

ସମ୍ବନ୍ଧିତ ଖବର