କାନପୁର: ଦୀର୍ଘ ୧୨୦ ଘଣ୍ଟାର ଚଢ଼ାଉ ପରେ କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନ୍ଙ୍କ ଘରୁ ୨୫୭ କୋଟି ନଗଦ ଟଙ୍କା, ୧୬ଟି ଦାମୀ ସ୍ଥାବର ସମ୍ପତ୍ତିର ଦଲିଲ ଏବଂ କିଛି ସୁନା ଜବତ କରାଯାଇଛି। ୧୬ଟି ବ୍ୟୟବହୁଳ ସ୍ଥାବର ସମ୍ପତ୍ତିରୁ ୪ଟି କାନପୁରରେ, ୭ଟି କନ୍ନୌଜରେ, ୨ଟି ମୁମ୍ବାଇରେ ଏବଂ ୧ଟି ଦିଲ୍ଲୀରେ ଥିବା ବେଳେ ଦୁବାଇରେ ରହିଛି ୨ଟି।
୧୨୦ ଘଣ୍ଟାର ଖାନତଲାସ ଏବଂ ପ୍ରାୟ ୫୦ ଘଣ୍ଟା ଜେରା କରାଯିବା ପରେ ପୀୟୂଷ ଜୈନଙ୍କୁ ଟିକସ ଫାଙ୍କି ଅଭିଯୋଗରେ ଗିରଫ କରାଯାଇଛି। ଗତ ସପ୍ତାହରେ ଆୟକର ବିଭାଗ ଏବଂ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଜି.ଏସ୍.ଟି. ଇଣ୍ଟେଲିଜେନ୍’ ଟିମ୍ ପୀୟୂଷ ଜୈନ୍ଙ୍କ ଘରେ ମିଳିତ ଚଢ଼ାଉ କରିଥିଲେ।
ତଲାସକାରୀମାନେ କନ୍ନୌଜସ୍ଥିତ ପୀୟୂଷ ଜୈନଙ୍କ ପୈତୃକ ଘରୁ ୧୮ଟି ଲକର୍ ଏବଂ ପ୍ରାୟ ୫୦୦ ଚାବି ଥିବା ନେନ୍ଥା ପାଇଥିଲେ। ଡିସେମ୍ବର ୨୨ ତାରିଖ ଦିନ ସରକାରୀ ଅଧିକାରୀମାନେ ଚଢ଼ାଉ କରିବାକୁ ଆସଥିବା ବେଳେ ଜୈନ୍ ପରିବାରବର୍ଗ ତାଙ୍କ ପିତାଙ୍କ ଚିକିତ୍ସା ନିମନ୍ତେ ଦିଲ୍ଲୀ ଯାଇଥିଲେ। କେବଳ ତାଙ୍କର ଦୁଇ ପୁଅ ଘରେ ଥିଲେ। ତଦନ୍ତକାରୀ ଅଧିକାରୀମାନେ ଡକାଇବାରୁ ଜୈନ୍ କାନପୁର ଫେରିଥିଲେ। ପୀୟୂଷ ଜୈନ୍ଙ୍କ ସାନଭାଇ ସପରିବାର ଝାଡ଼ଖଣ୍ଡ ଯାଇଛନ୍ତି।
ଅତର ବ୍ୟବସାୟ ପାଇଁ ପ୍ରସିଦ୍ଧ କାନପୁରର ଇତ୍ତାରୱାଲି ଗଲିରେ ପୀୟୂଷ ଜୈନ୍ ବ୍ୟବସାୟ ଚଳାଇଥିଲେ। କନ୍ନୌଜ, କାନପୁର ଏବଂ ମୁମ୍ବାଇରେ ଥିବା ତାଙ୍କ ଅଫିସ୍ରେ ମଧ୍ୟ ଚଢ଼ାଉ ହୋଇଥିଲା। ପ୍ରାୟ ୪୦ଟି କମ୍ପାନି ଜରିଆରେ ଜୈନ ବ୍ୟବସାୟ ଚଳାଉଥିବା କଥା ଚଢ଼ାଉ ପରେ ଆୟକର ବିଭାଗ ଜାଣିବାକୁ ପାଇଥିଲେ।