ଦିଲ୍ଲୀର ପିଜ୍ଜା ଡେଲିଭରି ବୟ କୋଭିଡ୍-୧୯ ଆକ୍ରାନ୍ତ ଜଣାପଡ଼ିବା ପରେ ୭୨ ପରିବାରକୁ କ୍ବାରେଣ୍ଟିନ୍ରେ ରହିବାକୁ ପରାମର୍ଶ
ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ମାଲବିୟ ନଗରର ଜଣେ ପିଜ୍ଜା ଡେଲିଭରି ବୟ କରୋନାଭାଇସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିବା ପରେ ଗୁରୁବାର ଦିନ ସମ୍ପୃକ୍ତ ଅଞ୍ଚଳର ୭୨ଟି ପରିବାରଙ୍କୁ ସେଲ୍ଫ୍-କ୍ବାରେଣ୍ଟିନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି।
ଦକ୍ଷିଣ ଦିଲ୍ଲୀର ଜିଲ୍ଲା ମାଜିଷ୍ଟ୍ରେଟ୍ ବିଏମ୍ ମିଶ୍ର କହିଛନ୍ତି: ପ୍ରାୟ ମାସେ ହେବ ସେ ଲୋକଟି (ବୟ) ଅସୁସ୍ଥ ଥିଲା। ତା’ର କାଶ ହେଉଥିଲା କିନ୍ତ, ଏହାକୁ ସାଧାରଣ ଥଣ୍ଡା କହି ଡାକ୍ତରମାନେ ଗରୁତ୍ବ ଦେଇ ନ ଥିଲେ। କିନ୍ତୁ, କାଶ ଭଲ ନ ହେବାରୁ ତାଙ୍କୁ ଆର୍ଏମ୍ଏଲ୍କୁ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ସେଠାରେ ତାଙ୍କର ସ୍ବାବ ନମୁନା କୋଭିଡ୍-୧୯ ପଜିଟିଭ୍ ବାହାରିଥିଲା।
ପୁଲିସ କହିବା ଅନୁସାରେ, ଏପ୍ରିଲ୍ ୧୧ ତାରିଖ ଦିନ ପଜିଟିଭ୍ ଟେଷ୍ଟ୍ ହୋଇଥିବା ସେ ବ୍ୟକ୍ତିଜଣକ ୭୨ଟି ସ୍ଥାନରେ ପିଜ୍ଜା ଡେଲିଭରି କରିଥିଲେ। ସମ୍ପୃକ୍ତ ସ୍ଥାନର ଲୋକମାନଙ୍କୁ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ କୁହାଯାଇଛି।
ମାଜିଷ୍ଟ୍ରେଟ୍ ମିଶ୍ର କହିଛନ୍ତି ଯେ ତାଙ୍କ (ବୟ) ସହ କାମ କରୁଥିବା ୧୭ଜଣ ବ୍ୟକ୍ତିଙ୍କୁ ଛତ୍ରପୁରସ୍ଥିତ ସରକାରୀ କ୍ବାରେଣ୍ଟିନ୍ କେନ୍ଦ୍ରକୁ ନିଆଯାଇଛି।