କେମିତି ମ୍ୟାନେଜ କରିବେ ପିକେ? ତେଲେଙ୍ଗାନାରେ କଂଗ୍ରେସ ବିପକ୍ଷରେ ଲଢେଇ ପାଇଁ ଟିଆରଏସ ସହ ହାତ ମିଳାଇଲା ପ୍ରଶାନ୍ତଙ୍କ ଟିମ

ହାଇଦ୍ରାବାଦ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସେପଟେ କିନ୍ତୁ ପିକେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଛନ୍ତି | କୁହାଯାଉଛି ଯେ ୨୦୨୩ରେ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ରଣନୀତି ପ୍ରସ୍ତୁତ ସହ କ୍ୟାମ୍ପେନିଙ୍ଗ ପାଇଁ ଟିଆରଏସ ପ୍ରଶାନ୍ତ କିଶୋରଙ୍କ କନ୍ସଲଟାନସି ଫାର୍ମ ଆଇ ପ୍ୟାକ ସହ ବୁଝାମଣା କରିଛି | ସେଥିପାଇଁ ଟିଆରଏସର ଅଭିଯାନକୁ କିଭଳି ଵ୍ୟାପକ କରାଯାଇପାରିବ ତାହା ବୁଝାସୁଝା କରିବାକୁ ଆଇ ପ୍ୟାକର ଋଷି ସିଂହ ଏବେ ହାଇଦ୍ରାବାଦରେ ଅଛନ୍ତି |

ସୂଚନା ମୁତାବକ ଶନିବାର ସକାଳେ ପିକେ ଚନ୍ଦ୍ରଶେଖର ରାଓଙ୍କ ଘରେ ପହଞ୍ଚିଥିଲେ | ଏଯାଏଁ ବି ପିକେ ସେଠାରେ ଥିବାରୁ କେବଳ ୨୦୨୩ ବିଧାନସଭା ନିର୍ବାଚନ ନୁହେଁ ବରଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ଉଭୟ(କେସିଆର ଓ ପିକେ)ଙ୍କ ମଧ୍ୟରେ ଆଲୋଚନା ଚାଲିଛି | ତେବେ ବଡ କଥା ଯେ ତେଲେଙ୍ଗାନାରେ ଟିଆରଏସ ଓ କଂଗ୍ରେସ ପରସ୍ପରର ବିରୋଧୀ ହୋଇଥିବାବେଳେ ଚନ୍ଦ୍ରଶେଖରଙ୍କ ବିପକ୍ଷରେ ରାଜନୀତି ପାଇଁ ଖୋଦ ରାହୁଲ ଗାନ୍ଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି |

ଆଗାମୀ ଦିନରେ ଚନ୍ଦ୍ରଶେଖରଙ୍କ ବିରୋଧରେ ହାଇଦ୍ରାବାଦରେ ସମାବେଶ ଆୟୋଜନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା | ତେବେ ପିକେଙ୍କ କିଛି ଖାସ ସହଯୋଗୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଂଗ୍ରେସରେ ସାମିଲ ନେଇ କୌଣସି ନିଷ୍ପତ୍ତି ହୋଇନଥିବାରୁ ଏବେ ଟିଆରଏସର ନିର୍ବାଚନ ଅଭିଯାନରୁ ପିକେ ନିଜକୁ ଦୂରେଇ ରଖିବେ |

ସମ୍ବନ୍ଧିତ ଖବର