ପାଟନା: ବିହାର ଲୋକ ସେବା ଆୟୋଗ(ବିପିଏସସି)ର ପରୀକ୍ଷା ବାତିଲ କରିବାକୁ ଦାବି କରୁଥିବାରୁ ଜନ ସୁରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର(ପିକେ)ଙ୍କୁ ସୋମବାର ସକାଳେ ବିହାର ପୁଲିସ ଗିରଫ କରିଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା। ତେବେ ସେ ସର୍ତ୍ତମୂଳକ ଜାମିନ ନେବାକୁ ମନା କରି ଦେଇଥିଲେ। ଏହା ପରେ ତାଙ୍କୁ ଜେଲକୁ ପଠାଯାଇଥିଲା। ପରେ ତାଙ୍କୁ ନିଃସର୍ତ୍ତ ଜାମିନ ମିଳିଥିଲାଏବଂ ବିଉର ଜେଲରୁ ମୁକ୍ତ କରାଯାଇଥିଲା।

Advertisment

 ବିପିଏସସି ପ୍ରାର୍ଥୀଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ଜନସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ପାଟନା ସିଭିଲ କୋର୍ଟ ଦ୍ବାରା ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ସୋମବାର ପୂର୍ବାହ୍ନରେ ଗାନ୍ଧୀ ମୈଦାନରେ ପ୍ରଶାନ୍ତ କିଶୋର ଏବଂ ତାଙ୍କ ସହ ଅନଶନରେ ବସିଥିବା ପ୍ରାର୍ଥୀମାନଙ୍କ ଉପରେ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଏହା ସହିତ ପ୍ରଶାନ୍ତ କିଶୋର ଏବଂ ଅନ୍ୟ ସଦସ୍ୟଙ୍କୁ ଗିରଫ କରାଯାଇଥିଲା।  ବିପିଏସସି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଶାନ୍ତ କିଶୋର ଜାନୁଆରି ୨ ତାରିଖ ଅପରାହ୍ନ ୫ଟାରୁ ଆମରଣ ଅନଶନ ଆରମ୍ଭ କରିଥିଲେ।

ପୁଲିସ ପ୍ରଶାନ୍ତ କିଶୋର ଏବଂ ଅନ୍ୟ ଗିରଫ ଲୋକଙ୍କୁ ପାଟନା ସିଭିଲ କୋର୍ଟରେ ହାଜର କରିଥିଲା।  ଏସଡିଜେଏମ୍ ଆରତୀ ଉପାଧ୍ୟାୟ ୨୫ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ କୋର୍ଟରୁ ପ୍ରଶାନ୍ତ କିଶୋରଙ୍କୁ ଜାମିନ ପ୍ରଦାନ କରିଥିଲେ।

ପାଟନା କୋର୍ଟରେ ପ୍ରଶାନ୍ତ କିଶୋର କୌଣସି ଓକିଲଙ୍କ ସାହାଯ୍ୟ ନେଇ ନ ଥିଲେ। ବିତର୍କ ଚାଲିଥିବାବେଳେ ସେ କହିଥିଲେ ଯେ, ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ପୁଲିସ କିପରି ଛାତ୍ରଛାତ୍ରୀମାନଙ୍କ ସହ ନିର୍ଦ୍ଦୟ ବ୍ୟବହାର କରୁଛି। କୋର୍ଟରୁ ଜାମିନ ପାଇବା ପରେ ପ୍ରଶାନ୍ତ କିଶୋର ସର୍ତ୍ତମୂଳକ ଜାମିନ ନେବାକୁ ମନା କରି ଦେଇଥିଲେ।

ପ୍ରଶାନ୍ତ କିଶୋର ପିଆର ବଣ୍ଡରେ ଦସ୍ତଖତ କରି ନ ଥିଲେ। ତାଙ୍କ ତରଫରୁ ନ୍ୟାୟିକ ହେପାଜତ ଦାବି କରାଯାଇଥିଲା। ବାସ୍ତବରେ, କୋର୍ଟ କହିଥିଲେ, ଭବିଷ୍ୟତରେ ପ୍ରଶାନ୍ତ କିଶୋର ଏପରି କୌଣସି କାର୍ଯ୍ୟ କରିବେ ନାହିଁ ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ପୁନର୍ବାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ବିଚାରପତି ତାଙ୍କ ନିଷ୍ପତ୍ତି ଉପରେ କାଏମ ଥିବାବେଳେ ପ୍ରଶାନ୍ତ କିଶୋର ଏହାକୁ ବିରୋଧ କରିଥିଲେ।

କୋର୍ଟ ଛାଡିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ପ୍ରଶାନ୍ତ କିଶୋର କହିଛନ୍ତି, ସକାଳ ୫ ରୁ ପୂର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ ମୋତେ ପୁଲିସ କାରରେ ବସାଇ ରଖା ଯାଇଥିଲା। ବିଭିନ୍ନ ସ୍ଥାନକୁ ନିଆଯାଇଥିଲା। ମୁଁ ଅନେକ ଥର ପଚାରିଥିଲି, ମୋତେ କେଉଁଠାକୁ ନିଆଯାଉଛି। ତେବେ ମୋତେ କେହି କିଛି କହି ନ ଥିଲେ। ସେ କହିଛନ୍ତି ଯେ  ସେମାନେ ମୋତେ ଫାତୱା କମ୍ୟୁନିଟି ସେଣ୍ଟରକୁ ନେଇଗଲେ।

ଅଧିକ ପଢ଼ନ୍ତୁ: ଭୟ ନାହିଁ,ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ସାରିଛି: ଏଚଏମପିଭି ନେଇ ଏମ୍ସର ସୂଚନା

ସେମାନେ ମୋର ଡାକ୍ତରୀ ପରୀକ୍ଷା କରି ଡାକ୍ତରଙ୍କଠାରୁ ପ୍ରମାଣପତ୍ର ପାଇବାକୁ ଚାହୁଁଥିଲେ। ମୁଁ କୌଣସି ଅପରାଧିକ କାର୍ଯ୍ୟକଳାପ କରି ନ ଥିବାରୁ ମୁଁ ମୋର ସମ୍ମତି ଦେବାକୁ ମନା କରିଥିଲି, ଏହା ପରେ ପୁଲିସ ଡାକ୍ତରମାନଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ସେମାନେ ବେଆଇନ ପ୍ରମାଣପତ୍ର ଦେବାକୁ ମନା କରିଦେଇଥିଲେ।

ପ୍ରଶାନ୍ତ କିଶୋର କହିଛନ୍ତି, ଏହା ପରେ ପୁଲିସ ମୋର ବୟାନ ରେକର୍ଡ କରିଛି ଯେ, ମୁଁ ଡାକ୍ତରୀ ପରୀକ୍ଷା ଦେବାକୁ ମନା କରିଥିଲି, ମୋତେ କୋର୍ଟକୁ ନିଆଯାଇଥିଲା ଏବଂ ମୋତେ ଜାମିନ ପ୍ରଦାନ କରାଯାଇଥିଲା। କିନ୍ତୁ, ଆଦେଶରେ ଲେଖା ହୋଇଥିଲା, ମୁଁ କୌଣସି ଭୁଲ କରିବା ଉଚିତ୍ ନୁହେଁ। ତେଣୁ ମୁଁ ଏହି ଜାମିନ ଆଦେଶକୁ ପ୍ରତ୍ୟାଖ୍ୟାନ କଲି, ମୁଁ ଜେଲ ଯିବାକୁ ଗ୍ରହଣ କଲି। ପ୍ରଶାନ୍ତ କିଶୋରଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ଏଚଏମପିଭି ଭୂତାଣୁ ଆତଙ୍କ: ମହାରାଷ୍ଟ୍ର ସରକାର ଜାରି କଲେ ସତର୍କ ସୂଚନା