ମତେ ଜେଡିୟୁ ଅଧ୍ୟକ୍ଷର ଅଫର ଯାଚିଥିଲେ ନୀତୀଶ: ପିକେ

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ନିକଟରେ ନୀତୀଶଙ୍କ ସହ ସାକ୍ଷାତ ସମୟରେ ତାଙ୍କୁ ଜେଡିୟୁ ସଭାପତି ହେବାର ଅଫର ମିଳିଥିଲା। ତେବେ ସେ ଜନତା ଦଳ (ୟୁନାଇଟେଡ୍) ର ନେତୃତ୍ୱ ନେବାକୁ ମନା କରିଦେଇଥିଲେ। ପି.କେ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ୨୦୧୪ ଲୋକସଭା ନିର୍ବାଚନରେ ​​ମହାଗଠବନ୍ଧନର ଯେତେବେଳେ ଶୋଚନୀୟ ପରାସ୍ତ ହୋଇଥିଲା ସେତେବେଳେ ମଧ୍ୟ ନୀତୀଶ ତାଙ୍କ ସାହାଯ୍ୟ ଲୋଡିଥିଲେ। ପ୍ରଶାନ୍ତ କିଶୋର ବର୍ତ୍ତମାନ ଜନ ସ୍ଵରାଜ୍ୟ ଅଭିଯାନ ଅଧୀନରେ ବିହାରରେ ୩୫୦୦ କିଲୋମିଟର ପଦଯାତ୍ରା କରୁଛନ୍ତି।

ପାଟନାଠାରୁ ପ୍ରାୟ ୨୭୫ କିଲୋମିଟର ଦୂରରେ ଥିବା ପଶ୍ଚିମ ଚମ୍ପରନ୍ ଜିଲ୍ଲାର ଜାମୁନିୟା ଗ୍ରାମରେ ପି.କେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଙ୍ଗଳବାର ଆକ୍ରମଣ କରିଥିଲେ। ସେ କହିଛନ୍ତି, ‘ନୀତୀଶ ମୁଖ୍ୟମନ୍ତ୍ରୀ ହୋଇ ବହୁତ ସ୍ମାର୍ଟ ହୋଇଯାଉଛନ୍ତି। ୨୦୧୪ରେ (ଲୋକସଭା) ନିର୍ବାଚନରେ ​​ହାରିବା ପରେ ଦିଲ୍ଲୀ ଆସିବା ପରେ ସେ କହିଥିଲେ ଯେ ଆମକୁ ସାହାଯ୍ୟ କର। ୨୦୧୫ ମସିହାରେ ମହାଗଠବନ୍ଧନ କରି ବିହାର ବିଧାନସଭା ନିର୍ବାଚନରେ ଆମେ ତାଙ୍କୁ ଜିତାଇବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭାବରେ ବସି ଆମକୁ ଜ୍ଞାନ ଦେଉଛନ୍ତି | ୧୦-୧୫ ଦିନ ପୂର୍ବରୁ ଫୋନ କରି ମତେ କହିଥିଲେ ଯେ ଆସନ୍ତୁ ଜେଡିୟୁ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିଅନ୍ତୁ |

କିନ୍ତୁ ମୁଁ କହିଥିଲି ଯେ ବର୍ତ୍ତମାନ ଏହା ଆଉ ହୋଇପାରିବ ନାହିଁ। ସୂଚନା ଥାଉ କି ଯେ ପ୍ରଶାନ୍ତ କିଶୋରଙ୍କୁ ୨୦୧୮ରେ ନୀତୀଶ କୁମାର ଜେଡିୟୁରେ ଅନ୍ତର୍ଭୁକ୍ତ କରିଥିଲେ ଏବଂ କିଛି ସପ୍ତାହ ମଧ୍ୟରେ ତାଙ୍କୁ ଦଳର ଜାତୀୟ ଉପାଧ୍ୟକ୍ଷ କରାଯାଇଥିଲା। ତେବେ ସିଏଏ-ଏନଆରସିକୁ ନେଇ ନୀତୀଶଙ୍କ ସହ ବିବାଦ ହେତୁ ତାଙ୍କୁ କିଛି ସମୟ ପରେ ଦଳରୁ ବହିଷ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର