ନୀତୀଶଙ୍କୁ ‘ନା’ କହିବାକୁ ଦିନକରଙ୍କ କବିତା ଗାଇଲେ ପିକେ

ପାଟନା : ଯାହାଙ୍କ ନାଁ ଶୁଣି ନୀତୀଶ କୁମାରଙ୍କ ମୁହଁରେ ପ୍ରସନ୍ନତା ଖେଳିଯାଏ, ସେ ତାଙ୍କୁ ନା କରିଦେଲେ। ନୀତୀଶ କୁମାର ଚାହୁଥିଲେ ୨୦୧୫ରେ ଯାହାଙ୍କ ରଣନୀତି ଆପଣେଇ ସତ୍ତାକୁ ରକ୍ଷା କରିପାରିଥିଲେ ତାଙ୍କରି ସାହାଯ୍ୟରେ ୨୦୨୪ ବୈତରଣୀ ପାରି ହୋଇଯିବେ। କିନ୍ତୁ ଏବେ ସ୍ଥିତି ଅଲଗା। ସେ ଆଉ ୭ ବର୍ଷ ତଳର ପିକେ (ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର) ପରି ସହାୟତା କରିବାକୁ ସମ୍ମତି ଦେଲେ ନାହିଁ। ତେବେ ସେ ସିଧା ସିଧା ମନା ନ କରି ରାଷ୍ଟ୍ରକବି ରାମଧାରୀ ଦିନକରଙ୍କ କବିତା ଜରିଆରେ ବିହାର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ନାମଞ୍ଜୁର କରିଦେଲେ। ସେ ଦିନକରଙ୍କ ପ୍ରସିଦ୍ଧ ପୁସ୍ତକ ରଶ୍ମିରଥୀର କବିତା ପଂକ୍ତି ଟ୍ବିଟ୍ କରି ନଜର ମତ ଜଣାଇଦେଲେ-

ତେରୀ ସହାୟତା ସେ ଜୟ ତୋ ମୈଂ ଅନାୟାସ ପା ଜାଉଂଗା,
ଆନେବାଲୀ ମାନବତା କୋ, ଲେକିନ, କ୍ୟା ମୁଖ ଦିଖଲାଉଂଗା?
ସଂସାର କହେଗା, ଜୀବନ କା ସବ ସୁକୃତ କର୍ଣ୍ଣ ନେ କ୍ଷାର କିୟା;
ପ୍ରତିଭଟ ବଧ କେ ଲିଏ ନୀଚ୍‌ ନେ ପାପୀ ନେ ସାହାଯ୍ୟ ଲିୟା।

ଏହି ଧାଡ଼ି ଦୁଇଟି ହେଉଛି ନୀତୀଶ-ପ୍ରଶାନ୍ତଙ୍କ ସାକ୍ଷାତର ଫଳାଫଳ। ନୀତୀଶ କୁମାର ଏବେ ଏ କବିତାର ପୃଷ୍ଠଭୂମିକୁ ବୁଝୁଥିବେ। ପ୍ରଶାନ୍ତ କୁମାର ଯେଉଁ କବିତାକୁ ଟ୍ବିଟ୍ କଲେ ତାହାର ପୃଷ୍ଠଭୂମିରେ ଅଛନ୍ତି ମହାଭାରତର ଯୋଦ୍ଧା କର୍ଣ୍ଣ। ନିଜର ପରାଜୟ ନିଶ୍ଚିତ ବୋଲି ଜାଣି ମଧ୍ୟ ସେ ମିତ୍ର ଦୁର୍ଯ୍ୟୋଧନଙ୍କ ସପକ୍ଷରେ ଯୁଦ୍ଧଭୂମିକୁ ଓହ୍ଲାଇଥିଲେ। କର୍ଣ୍ଣଙ୍କୁ ପାଣ୍ଡବଙ୍କ ତରଫରୁ ଲଢ଼ିବା ପାଇଁ ଯେତେବେଳେ ପ୍ରସ୍ତାବ ଦିଆଗଲା ସେ କହିଲେ ମୁଁ ଯଦି ପାଣ୍ଡବଙ୍କ ପକ୍ଷରୁ ଲଢ଼ିବ ତ କେହି ହରାଇପାରିବେ ନାହିଁ। କିନ୍ତୁ ମୁଁ ମୋର ମିତ୍ରଙ୍କୁ ଆଉ ମୁହଁ ଦେଖାଇପାରିବି କି? ସେ ମୋତେ ରାଜପଦ ଦେଇଛନ୍ତି। ଦୁନିଆ କହିବ ନିଜ ସ୍ବାର୍ଥ ପାଇଁ ମୁଁ ଶତ୍ରୁଙ୍କ ପକ୍ଷରେ ଯୋଗ ଦେଲି। ନିଜ ମିତ୍ରଙ୍କୁ ବଧ କରିବା ପାଇଁ ଶତ୍ରୁଙ୍କୁ ସାହାଯ୍ୟ କଲି।

ସେ ଯଦି ବର୍ଷକୁ ୧୦ ଲକ୍ଷ ନିଯୁକ୍ତି ଦେବେ…, ବିହାର ମେଣ୍ଟରେ ଯୋଗ ଦେବା ନେଇ ପ୍ରଶାନ୍ତ କିଶୋରଙ୍କ ମତ

ପାଟନା : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଦୁଇଦିନ ତଳେ ଦେଖା କରିଥିବା କଥା ସ୍ବୀକାର କରିଛନ୍ତି। ଏଥି ସହ ସେ କହିଛନ୍ତି ଯେ ଗୋଟିଏ ସର୍ତ୍ତରେ ସେ ବିହାରରେ ନୀତୀଶଙ୍କ ମେଣ୍ଟରେ ଯୋଗ ଦେବାକୁ ପ୍ରସ୍ତୁତ ଅଛନ୍ତି। ଯଦି ନୀତୀଶ ଗୋଟିଏ ବର୍ଷ ଭିତରେ ବିହାରରେ ୧୦ ଲକ୍ଷ ବେକାର ଯୁବକଙ୍କୁ ଚାକିରି ଦେଇପାରିବେ । ଏହା ହେଲେ ହିଁ ସେ ତାଙ୍କ ସହ ବା ବିହାର ମେଣ୍ଟରେ ଯୋଗ ଦେବା କଥା ଚିନ୍ତା କରିବେ ବୋଲି କହିଛନ୍ତି।

ବୁଧବାର ନୀତୀଶ କୁମାର ମଧ୍ୟ ପ୍ରଶାନ୍ତ କିଶୋରଙ୍କ ସହ ସାକ୍ଷାତ୍ ହୋଇଥିବା କଥା ସ୍ବୀକାର କରିଛନ୍ତି। ତେବେ ସେ କହିଛନ୍ତି ଏ ସାକ୍ଷାତ୍‌କାର ସ୍ବାଭାବିକ ଓ ସୌଜନ୍ୟମୂଳକ ଥିଲା ଏବଂ ଏହାର କୌଣସି ରାଜନୈତିକ ଗୁରୁତ୍ବ ନ ଥିଲା। ଗତମାସରେ ଏନ୍‌ଡିଏ ହାତ ଛାଡ଼ି ବିରୋଧୀ ଏକତା ପାଇଁ କାମ କରୁଥିବା ନୀତୀଶ କୁମାର ପିକେଙ୍କ ସହ ସାକ୍ଷାତର ପୂର୍ଣ୍ଣାଙ୍ଗ ବିବରଣୀ ଦେବାକୁ ଚାହିନାହାନ୍ତି। କିଛିଦିନ ତଳେ ଦିଲ୍ଲୀରେ ନୀତୀଶଙ୍କ ପାରିଲାପଣିଆ ଉପରେ ପ୍ରଶ୍ନ ଉଠାଇ ପିକେ କଟୁ ମନ୍ତବ୍ୟ ଦେଇଥିଲେ ମଧ୍ୟ ତାଙ୍କ ସହ ରହିଥିବା ପୁରୁଣା ବନ୍ଧୁତାକୁ ଆଉ ନ ବିଗାଡ଼ିବା ପାଇଁ ନୀତୀଶ ମାପିଚୁପି କଥା କହିଛନ୍ତି।

ସମ୍ବନ୍ଧିତ ଖବର