ଚୀନ୍‌ ପୁଣି ଦେଖାଇଲା ଦୋମୁହାଁ ନୀତି; ଭାରତ ସୀମାନ୍ତରେ ଲଗାଇଲା ଅତ୍ୟାଧୁନିକ ଶକ୍ତିଶାଳୀ କ୍ୟାମେରା

ନୂଆଦିଲ୍ଲୀ: ଭାରତ- ଚୀନ୍‌ ସୀମାନ୍ତରେ ଚୀନ୍‌ର ପିପୁଲସ୍‌ ଲିବରେସନ୍‌ ଆର୍ମି (ପିଏଲ୍‌ଆଇ), ସଂପୂର୍ଣ୍ଣ ଅତ୍ୟାଧୁନିକ ବୈଜ୍ଞାନିକ କାରିଗରୀ ଜ୍ଞାନକୌଶଳ ସଂପନ୍ନ ଏବଂ ଅତ୍ୟନ୍ତ ଶକ୍ତିଶାଳୀ ଏକାଧିକ ନିରୀକ୍ଷଣ ଯନ୍ତ୍ର ପ୍ରତିଷ୍ଠା କରିଥିବା ଜାଣିବାକୁ ମିଳିଛି। ଚୀନ୍‌ ସେନା ପକ୍ଷରୁ ପ୍ରତିଷ୍ଠା କରା ଯାଇଥିବା ଏହି ସଂପୂର୍ଣ୍ଣ ଅତ୍ୟାଧୁନିକ ନିରୀକ୍ଷଣ ଯନ୍ତ୍ର ସୀମାନ୍ତରେ ଭାରତୀୟ ସେନାର ସମସ୍ତ ପ୍ରକାରର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେସଂପର୍କରେ ଚୀନ୍‌ ସେନାକୁ ସମସ୍ତ ପ୍ରକାରର ଆଗୁଆ ସୂଚନା ପ୍ରଦାନ କରିବ। ଏଥିରେ ଖଞ୍ଜା ଯାଇଥିବା ଅତ୍ୟାଧୁନିକ ଉଚ୍ଚ ଶକ୍ତି ସଂପନ୍ନ ‘ନେଟ୍‌ଓ୍ଵାର୍କ ସେଣ୍ଟ୍ରିକ୍‌’ ନିରୀକ୍ଷଣ କ୍ୟାମେରା ସବୁ ଭାରତୀୟ ସେନାର ପ୍ରତିଟି ଗତିବିଧିର ଚିତ୍ର ଉତ୍ତୋଳନ କରିବା ସହ ସେସବୁକୁ ଚୀନ୍‌ ସେନା ନିକଟକୁ ପଠାଇବ। ସମସ୍ତ ପ୍ରକାରର ପ୍ରତିକୂଳ ପାଗ ଓ ପରିସ୍ଥିତରେ ମଧ୍ୟ ଚୀନ୍‌ ସେନାର ଏହି ଅତ୍ୟାଧୁନିକ ନିରୀକ୍ଷଣ ଯନ୍ତ୍ର ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିପାରିବାର କ୍ଷମତା ରଖିଛି। ଭାରତ- ଚୀନ୍‌ ସୀମାନ୍ତର ଯେଉଁ ସବୁ ସ୍ଥାନରେ ଚୀନ୍‌ର ବିବାଦ ରହିଛି ସେହିସବୁ ସ୍ଥାନମାନଙ୍କରେ ଚୀନ୍‌ ପ୍ରଥମ ପର୍ଯ୍ୟାୟରେ ଏହି ଅତ୍ୟାଧୁନିକ ନିରୀକ୍ଷଣ ଯନ୍ତ୍ରକୁ ପ୍ରତିଷ୍ଠା କରିଥିବା ଜାଣିବାକୁ ମିଳିଛି।

ତେବେ, ଏଘଟଣା ପୁଣିଥରେ ଚୀନ୍‌ର ଦୋମୁହାଁ ନୀତିର ପରିଚୟ ଦେଇଛି। କାରଣ, ଗୋଟିଏ ପକ୍ଷରେ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇଁ ଭାରତ ସହ ଆଲୋଚନା ଜାରି ରଖି ଅନ୍ୟ ପକ୍ଷରେ ସୀମାନ୍ତରେ ଏହି ସଂପୂର୍ଣ୍ଣ ଅତ୍ୟାଧୁନିକ ନିରୀକ୍ଷଣ ଯନ୍ତ୍ର ପ୍ରତିଷ୍ଠା କରିବା ଘଟଣା ସୀମାନ୍ତରେ ଉତ୍ତେଜନାକୁ ବିନାକାରଣରେ ବୃଦ୍ଧି କରିବ ବୋଲି ଅନ୍ତର୍ଜାତୀୟ କୂଟନୈତିକମାନେ ଆଶଙ୍କା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର