ମଣିପୁରରେ ସେନା ଉପରେ ଆହୁରି ଆକ୍ରମଣ ପାଇଁ ଯୋଜନା କରୁଛି ପିଏଲଏ : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : ମଣିପୁରରେ ଆସାମ ରାଇଫଲ୍ସ ଉପରେ ଗତ ସପ୍ତାହରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଆଉ କିଛି ଗୁଇନ୍ଦା ତଥ୍ୟ ହସ୍ତଗତ ହୋଇଛି । ଏହି ଘଟଣାରେ ଯବାନମାନଙ୍କ ଗୁଳିମାଡ଼ରେ ଆତଙ୍କବାଦୀ ସଂଗଠନ ପିଏଲଏର ଜଣେ ଆତଙ୍କବାଦୀ ଗୁରୁତର ଆହତ ହୋଇଛି ବୋଲି ଜଣାପଡ଼ିଛି । ଏହି ଆହତ ପିଏଲଏ କ୍ୟାଡର ଏବେ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ କିମ୍ବା ସୀମା ସେପଟେ ମ୍ୟାମାରର ଚିନ୍ ରାଜ୍ୟରେ ଲୁଚିଥିବା ସଂଦେହ କରାଯାଉଛି ।

ଗୁଇନ୍ଦା ସୁତ୍ରରୁ ଆହୁରି ସୂଚନା ମିଳିଛି ଯେ ସୁରକ୍ଷା ବାହିନୀ ଉପରେ ଆହୁରି ଅଧିକ ଆକ୍ରମଣ କରିବାକୁ ପିଏଲଏ ଯୋଜନା କରୁଛି । ସୁରକ୍ଷା ବାହିନୀ ଯାଉଥିବା ରାସ୍ତାରେ ଆଇଇଡି ଖଞ୍ଜି ବିସ୍ଫୋରଣ କରିବାକୁ ଯୋଜନା କରାଯାଉଛି । କେବଳ ଏତିକି ନୁହେଁ, ମଣିପୁରର ଆଉ କେତେକ ଉଗ୍ରବାଦୀ ସଂଗଠନ ଏନଏମପିଏଫ ଓ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ କାଙ୍ଗଲେଇପାକ ମଧ୍ୟ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ।

ମଣିପୁରରେ ଗତ ସପ୍ତାହରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ମଣିପୁରର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଥିଲା । ପିଏଲଏର ଏହି ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଓ ୮ ବର୍ଷର ପୁଅ ସମେତ ମୋଟ ୭ ଜଣ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର