ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍‌ ବକ୍ସ ମିଳିଲା : ରନ୍‌ୱେ ପୂର୍ବରୁ ଟ୍ୟାକ୍ସି-ୱେରେ ଅବତରଣ, ପ୍ରବଳ ବର୍ଷା ସାଜିଲା ବିପଦ

ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

କୋଝିକୋଡ଼ : କେରଳରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ଭାରତର ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଆଜି ବୟାନ ଜାରି କରିଛନ୍ତି। କୋଝିକୋଡ ଏୟାରପୋର୍ଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ରନ୍‌ୱେଠାରୁ ପ୍ରାୟ ୧୦୦୦ ମିଟର ପୂର୍ବରୁ ଟ୍ୟାକ୍ସି ୱେରେ ଅବତରଣ କରିଥିଲା ଏବଂ ନିୟନ୍ତ୍ରଣ ହରାଇ ଏହା ୨୭୦୦ ମିଟର ରନ୍‌ୱେ ଅତିକ୍ରମ କରି ଖାଲକୁ ଖସିଥିଲା। ତଳକୁ ଖସିବା ପରେ ଏହା ଦୁଇ ଖଣ୍ଡ ହୋଇଯାଇଥିଲା। ପ୍ରଥମ ପ୍ରଚେଷ୍ଟାରେ ପାଇଲଟ୍‌ ରନ୍‌ୱେ ଦେଖିପାରିନଥିଲେ। ପ୍ରଥମ ଥର ଅବତରଣ ପାଇଁ ରନ୍‌ୱେ ୨୮କୁ ସ୍ଥିର କରାଯାଇଥିଲା। କିନ୍ତୁ ପାଇଲଟ୍‌ ଏହି ରନ୍‌ୱେ ଦେଖି ନପାରିବାରୁ ରନ୍‌ୱେ ୧୦ ପାଇଁ ଅନୁମତି ମାଗିଥିଲେ। ‌ରନ୍‌ୱେ ୧୦ରେ ଅବତରଣ ପାଇଁ ପ୍ରୟାସ ବେଳେ ଏହା ଟ୍ୟାକ୍ସୱେ-ସିକୁ ଚାଲିଯାଇଥିଲା। ଅବତରଣ ସମୟରେ ଦୃଶ୍ୟମାନତା ୨୦୦୦ ମିଟର ଥିଲା।

ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି
ନୂଆଦିଲ୍ଲୀ : କେରଳର କୋଝିକୋଡ ବିମାନବନ୍ଦରରେ ଗତ ରାତିରେ ଘଟିଥିବା ବିମାନ ଦୁର୍ଘଟଣାରେ ବ୍ଲାକ୍‌ ବକ୍ସ ଏବଂ କକ୍‌ପିଟ୍‌ ଭଏସ ରେକର୍ଡର ଉଦ୍ଧାର କରାଯାଇଛି ବୋଲି ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଡିଜିସିଏ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇ ସାରିଥିବାବେଳେ ବ୍ଲାକ୍‌ ବକ୍ସ ଏବଂ କକ୍‌ପିଟ୍‌ ଭଏସ ରେକର୍ଡର ତଦନ୍ତରେ ସହାୟକ ହେବ ବୋଲି କୁହାଯାଇଛି। ଅପରପକ୍ଷେ, କୋଝିକୋଡ଼ ରନ୍‌ୱେରେ ଗତ ରାତିରେ ଘଟିଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮ ଛୁଇଁଛି। ଦୁବାଇରୁ କାଲିକଟ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (ଆଇଏକ୍ସ-୧୩୪୪) କୋଝିକୋଡ ବିମାନବନ୍ଦରରେ ଅବତରଣ କରିବା ସମୟରେ ୩୦ ଫୁଟ ଗଭୀର ତଳକୁ ଖସିପଡ଼ି ଦୁଇ ଖଣ୍ଡ ହୋଇଯାଇଥିଲା। ଏହି ବିମାନ ଦୁବାଇରୁ ୧୯୦ ଜଣ ଯାତ୍ରୀଙ୍କୁ ନେଇ କାଲିକଟ ଆସୁଥିଲା। ତେବେ ପ୍ରବଳ ବର୍ଷା ଯୋଗୁଁ ପାଇଲଟ୍‌ ବିମାନକୁ ଅବତରଣ କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ପ୍ରଥମଥର ଲ୍ୟାଣ୍ଡିଂ କରିବାରେ ବିଫଳ ହେବା ପରେ ପାଇଲଟ ଦ୍ବିତୀୟଥର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡୁ ନଥିଲାବେଳେ ବ୍ଲାକ୍‌ ବକ୍ସ ଏବଂ କକ୍‌ପିଟ୍‌ ଭଏସ ରେକର୍ଡରରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ଡିଜିସିଏ ପକ୍ଷରୁ ସୂଚନା ମିଳିଛି। ‘ଆଭିଏସନ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେସନ ଟିମ୍‌’ ବିମାନ ଦୁର୍ଘଟଣାର ତଦନ୍ତ କରୁଛି।

ବିମାନରୁ ଉଦ୍ଧାର କରାଯାଇଥିବା ବ୍ଲାକ୍‌ ବକ୍ସର ଡିକୋଡିଂ ପାଇଁ ଆମେରିକାର ଏକ ଏୟାର ଲାଇନ୍‌ କମ୍ପାନିକୁ ପଠାଯିବ ବୋଲି ଡିଜିସିଏ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷେ, ବିମାନ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ଶେଷ ହେବାକୁ ଅତି କମ୍‌ରେ ଦୁଇ ସପ୍ତାହ ଲାଗିବ ବୋଲି ଜଣେ ପୂର୍ବତନ ବାୟୁସେନା ପାଇଲଟ୍‌ କ୍ୟାପ୍‌ଟେନ୍‌ କେ.ଭି.ଏସ୍‌.ମୂର୍ତ୍ତି କହିଛନ୍ତି। ବ୍ଲାକ୍‌ ବକ୍ସ ହିଁ ବିମାନ ଦୁର୍ଘଟଣାର ସମସ୍ତ ତଥ୍ୟ ପ୍ରଦାନ କରିବ। ବିମାନଟି କେତେ ବେଗରେ ଥିଲା, କେତେ ଉଚ୍ଚତାରେ ଥିଲା ଏବଂ ବାୟୁମଣ୍ଡଳରେ ଥିବା ମେଘ, ବିମାନ ଅବତରଣ ବେଳର ସମସ୍ତ ତଥ୍ୟ ବ୍ଲାକ୍‌ ବକ୍ସ ଦେଇ ପାରିବ ବୋଲି କ୍ୟାପ୍‌ଟେନ ମୂର୍ତ୍ତି କହିଛନ୍ତି। ଏହା ସହିତ ପାଇଲଟ୍‌ଙ୍କ କଥାବାର୍ତ୍ତାର ରେକର୍ଡିଂ ମଧ୍ୟ କକ୍‌ପିଟ ଭଏସ ରେକର୍ଡରୁ ମିଳିପାରିବ ବୋଲି ସେ କହିଛନ୍ତି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କେରଳ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାପାଇଁ ଆଜି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର