ମଧ୍ୟପ୍ରଦେଶରେ ବିମାନ ଦୁର୍ଘଟଣା, ଟ୍ରେନି ମହିଳା ପାଇଲଟ୍‌ ଏବଂ ଇନଷ୍ଟ୍ରକ୍ଟରଙ୍କ ମୃତ୍ୟୁ

ଭୋପାଳ : ମଧ୍ୟପ୍ରଦେଶରେ ବାଲାଘାଟରେ ଶନିବାର ଦିନ ଏକ ଚାର୍ଟଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଏଥିରେ ଜଣେ ‌ଟ୍ରେନି ମହିଳା ପାଇଲଟ ଏବଂ ବିମାନର ଇନଷ୍ଟ୍ରକ୍ଟରଙ୍କ ମୃତ୍ୟୁ ହୋଇଛି। ବାଲାଘାଟର କିର୍ନାପୁର ହିଲ୍ସ ସ୍ଥିତ ଭକ୍କୁ ତୋଲା ଗ୍ରାମରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି।

ଟ୍ରେନି ମହିଳା ପାଇଲଟଙ୍କ ନାମ ରୁକ୍‌ଶାଙ୍କା ଏବଂ ବିମାନ ଇନଷ୍ଟ୍ରକ୍ଟରଙ୍କ ନାମ ମୋହିତ କୁମାର। ବାଲାଘାଟ ଏସ୍‌ପି ସମୀର ସୌରଭ ଉଭୟଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ବିମାନଟି ଶନିବାର ଅପରାହ୍ନରେ ମହାରାଷ୍ଟ୍ର ଗୋଣ୍ଡିଆ ଜିଲ୍ଲାର ବିର୍ସିରୁ ଉଡ଼ାଣ ଆରମ୍ଭ କରିଥିଲା। ବିର୍ସି ଏୟାରଷ୍ଟ୍ରିପ କଣ୍ଟ୍ରୋଲର କମଳେଶ ମେଶରମ କହିଛନ୍ତି, ବାଲାଘାଟର କିର୍ନପୁରରେ ସେମାନଙ୍କୁ ଅପରାହ୍ନ ୩.୪୫ରେ ଶେଷ ଥର ପାଇଁ ଯୋଗାଯୋଗ କରାଯାଇଥିଲା। ଦୁର୍ଘଟଣାର କାରଣ କ’ଣ ଏଯାବତ୍‌ ଜଣାପଡ଼ିନି। ତେବେ ଖରାପ୍‌ ପାଗ ପାଇଁ ଏହି ଦୁର୍ଘଟଣା ହୋଇଥାଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର