ଚୀନ୍‌ରେ ବିମାନ ଦୁର୍ଘଟଣା, ୧୩୨ ମୃତ

ବେଜିଂ : ଚୀନ୍‌ରେ ସୋମବାର ଦିନ ବଡ଼ ଧରଣର ବିମାନ ଦୁର୍ଘଟଣାରେ ୧୩୨ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୩ ଜଣ ଯାତ୍ରୀ ଏବଂ ୯ ଜଣ ବିମାନ କର୍ମଚାରୀ ଥିଲେ। ଚୀନ ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ବୋଇଂ ୭୩୭-୮୦୦ ବିମାନଟି ୧୩୨ ଜଣଙ୍କୁ ନେଇ ଉଡ଼ାଣ କରୁଥିଲା ବେଳେ ଦକ୍ଷିଣ ଚୀନ୍‌ର ଏକ ପାହାଡ଼ ଉପରେ ଖସିପଡ଼ିଛି। ବିମାନଟି ଚୀନର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ୟୁନାନ ପ୍ରଦେଶର ରାଜଧାନୀ କୁନମିଙ୍ଗ୍ ସହରରୁ ହଂକଂ ସୀମାରେ ଅବସ୍ଥିତ ଗୁଆଙ୍ଗଡଙ୍ଗ ପ୍ରଦେଶର
ରାଜଧାନୀ ଗୁଆଙ୍ଗଝୁକୁ ଯାଉଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ୬ ବର୍ଷ ପୁରୁଣା।

ସୂଚନ‌ାଯୋଗ୍ୟ ଯେ ୨୦୧୮ରେ ଇଣ୍ଡୋନେସିଆ ଏବଂ ୨୦୧୯ରେ ଇଥିଓପିଆରେ ବୋଇଂ ୭୩୭ ମାକ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୩୪୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଚୀନରେ ୨୦୧୦ ମସିହାରେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ଏଥିରେ ଯାତ୍ରା କରୁଥିବା ୯୬ ଜଣଙ୍କ ମଧ୍ୟରୁ ୪୪ ଜଣଙ୍କର ମୃତ୍ୟୁ ହୋଇଥିଲା। ତାହା ପୂର୍ବରୁ ୧୯୯୪ ମସିହାରେ ଚୀନ ନର୍ଥୱେଷ୍ଟ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାରେ ସମସ୍ତ ୧୬୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସୋମବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ମାକ୍ସ ୭୩୭ର ପୂର୍ବ ମଡେଲ। ବିମାନର ବ୍ଲାକ ବକ୍ସ ମିଳିବା ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ।

ଚୀନ ଇଷ୍ଟର୍ଣ୍ଣଲାଇନ୍ସର ବୋଇଂ ୭୩୭-୮୦୦ ବିମାନ ଦୁର୍ଘଟଣା ପରେ ଭାରତରେ ବେସାମରିକ ବିମାନ ଚଳାଚଳ ମହାନି‌ର୍ଦ୍ଦେଶାଳୟ (ଡିଜିସିଏ) ବୋଇଂ-୭୩୭ ବିମାନର ତଦାରଖ ବ୍ୟବସ୍ଥାକୁ ସୋମବାର ଦିନ ବଢ଼ାଇ ଦେଇଛି। ଭାରତରେ ବର୍ତ୍ତମାନ ସ୍ପାଇ‌ସଜେଟ୍, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ନିକଟରେ ଏହି ବିମାନ ରହିଛି। କମ୍‌ ସମୟ ବ୍ୟବଧାନରେ ଦୁଇଟି ମାକ୍ସ ୭୩୭ ବିମାନ ଦୁର୍ଘଟଣା ହେବାରୁ ଭାରତରେ ୨୦୧୯ ମାର୍ଚ୍ଚରେ ଉକ୍ତ ବିମାନ ଉଡ଼ାଣକୁ ନିଷିଦ୍ଧ କରାଯାଇଥିଲା। ପରେ ବୋଇଂ ଆବଶ୍ୟକ ପରିବର୍ତ୍ତନ ଆଣିବା ପରେ ୨୦୨୧ ଅଗଷ୍ଟରେ ଡିଜିସିଏ ଏହି କଟକଣାକୁ ହଟାଇଥିଲା।

ସମ୍ବନ୍ଧିତ ଖବର