ନୂଆଦିଲ୍ଲୀ: ୨୦୨୫ ଜୁନ ୧୨ ତାରିଖରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ ୧୭୧ ଏକ ଭୟାବହ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
୨୩୦ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟଙ୍କୁ ନେଇ ବୋଇଂ ୭୮୭-୮ ଡ୍ରିମଲାଇନର ଉଡ଼ାଣ ଆରମ୍ଭ ହେବାର ୫୯ ସେକେଣ୍ଡ ପରେ ମେଘନଗରର ବି.ଜେ. ମେଡିକାଲ କଲେଜର ହଷ୍ଟେଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏହି ଦୁର୍ଘଟଣାରେ ୨୪୧ ଜଣଙ୍କ ଜୀବନ ଯାଇଥିଲା ବେଳେ ୨୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଥିଲା। ସୌଭାଗ୍ୟବଶତଃ ଏହି ଭୟାବହ ବିସ୍ଫୋରଣରେ କେବଳ ଜଣେ ମାତ୍ର ଯାତ୍ରୀ ଚମତ୍କାର ଭାବେ ବଞ୍ଚି ଯାଇଛନ୍ତି। ଏହି ଯାତ୍ରୀଙ୍କ ନାମ ବିଶ୍ୱାସ କୁମାର ରମେଶ।
ଏହି ଦୁଃଖଦ ଘଟଣାରେ ଆଉ ଏକ ଚମତ୍କାର ଦୃଶ୍ୟ ସାମ୍ନାକୁ ଆସିଛି। ଜୟଶ୍ରୀ ପଟେଲଙ୍କ(୨୭) ଲଡ଼ୁ ଗୋପାଳ ମୂର୍ତ୍ତିକୁ ସୁରକ୍ଷିତ ଭାବେ ବିସ୍ଫୋରଣ ହୋଇଥିବା ବିମାନର ଧ୍ବଂସାବଶେଷ ଭିତରୁ ଉଦ୍ଧାରକାରୀ ଦଳମାନେ ଉଦ୍ଧାର କରିଛନ୍ତି।
ଲୋକମାନେ ଏହାକୁ ଭଗବାନ କୃଷ୍ଣଙ୍କ ଲୀଳା ଏବଂ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ବୋଲି ମାନିଛନ୍ତି। କାରଣ ଭୟଙ୍କର ନିଆଁ ଏବଂ ବିସ୍ଫୋରଣରେ ବିମାନର ଲୁହା ମଧ୍ୟ ତରଳି ଯାଇଥିଲା। ଏପରି ପରିସ୍ଥିତିରେ ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି ଏବଂ ଭଗବଦ୍ ଗୀତାର ବହିର କିଛି ହୋଇ ନଥିବା ନିଶ୍ଚୟ ଭାବେ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି କୁହାଯାଇପାରେ।