ନୂଆଦିଲ୍ଲୀ: ଅହମଦାବାଦରେ ଗତକାଲି ହୋଇଥିବା ବିମାନ ଦୁର୍ଘଟଣାର ଔପଚାରିକ ତଦନ୍ତ ଆରମ୍ଭ ହୋଇଛି। ବୋଇଂ ୭୮୭ ଡ୍ରିମ୍ଲାଇନର୍ର ବ୍ଲାକ୍ବକ୍ସ ମିଳିଛି ଏବଂ ଏହା ସୁରକ୍ଷିତ ଅଛି। ଯେଉଁ ମେଡିକାଲ କଲେଜ ହଷ୍ଟେଲ୍ରେ ବିମାନଟି ପିଟି ହୋଇଥିଲା ସେହି ହଷ୍ଟେଲର ଛାତ ଉପରୁ ଏଏଆଇବି (ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ୍ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ) ବ୍ଲାକ୍ବକ୍ସ ପାଇଥିବା ସ୍ପଷ୍ଟ କରିଛନ୍ତି। ବ୍ଲାକ୍ବକ୍ସ ମିଳିଥିବାରୁ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏନ୍ଆଇଏ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ କରିବା ସହ ବିଭିନ୍ନ ନମୁନା ସଂଗ୍ରହ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନରେ ଏଏଆଇବି ମଧ୍ୟ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଗୁଜରାଟ ସରକାରଙ୍କର ୪୦ରୁ ଅଧିକ କର୍ମଚାରୀ ତଦନ୍ତ ପ୍ରକ୍ରିୟାରେ ସହଯୋଗ ପାଇଁ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରୁ ମଧ୍ୟ ସହଯୋଗର ହାତ ବଢ଼ିଛି। ଆମେରିକା ଏବଂ ବ୍ରିଟେନ ଭାରତକୁ ତଦନ୍ତକାରୀ ଟିମ୍ ପଠାଇଛନ୍ତି। ଆମେରିକା ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଘୋଷଣା କରିଛି ଯେ ଏହା ଭାରତୀୟ ପ୍ରତିପକ୍ଷଙ୍କୁ ସହଯୋଗ କରିବା ପାଇଁ ତଦନ୍ତକାରୀ ଦଳ ପଠାଇବ।
ବ୍ଲାକ୍ବକ୍ସ ଉଦ୍ଧାର
ତଦନ୍ତକାରୀ ଟିମ୍ ପଠାଇଲା ଆମେରିକା, ବ୍ରିଟେନ
ମୃତ୍ୟୁସଂଖ୍ୟା ୨୬୫କୁ ବୃଦ୍ଧି
ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେଅର ଷ୍ଟାର୍ମର କହିଛନ୍ତି, ବ୍ରିଟେନ୍ର ଏୟାର ଆକ୍ସିଡେଣ୍ଟ୍ସ ଇନ୍ଭେଷ୍ଟିଗେସନ୍ ବ୍ରାଞ୍ଚ ଭାରତର ଏଏଆଇବିକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛି। ଖୁବ୍ଶୀଘ୍ର ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡ଼ୁ କହିଛନ୍ତି, ସରକାର ଘଟଣାର ବିସ୍ତୃତ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏଏଆଇବି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି। ଇତିମଧ୍ୟରେ ବିମାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୨୬୫ରେ ପହଞ୍ଚିଥିବା ଜଣାପଡ଼ିଛି। ବିମାନରେ ପାଇଲଟ୍, ବିମାନ କର୍ମଚାରୀଙ୍କ ସମେତ ମୋଟ୍ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେବଳ ଜଣେ ବଞ୍ଚି ଯାଇଥିଲେ। ଏକ ମେଡିକାଲ କଲେଜ ହଷ୍ଟେଲ୍ରେ ବିମାନଟି ପିଟି ହୋଇଥିବାରୁ ହଷ୍ଟେଲ୍ ଏବଂ ଏହାର ଆଖାପାଖ ଅଞ୍ଚଳରେ ଅନ୍ୟ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଡିଏନ୍ଏ ରିପୋର୍ଟ ପରେ ହିଁ ମୃତ୍ୟୁସଂଖ୍ୟା ସରକାରୀ ଭାବେ ଘୋଷଣା କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।