ମେରିଲାଣ୍ଡ୍: ରବିବାର ସନ୍ଧ୍ୟା ବେଳେ ଆମେରିକାର ମେରିଲାଣ୍ଡ୍ ଅନ୍ତର୍ଗତ ମଣ୍ଟ୍ଗମେରି କାଉଣ୍ଟିରେ ଗୋଟାଏ କ୍ଷୁଦ୍ର ବିମାନ ଧକ୍କା ଖାଇ ବିଜୁଳି ତାରରେ ଲାଖିଯିବାରୁ ସେଥିରେ ଥିବା ୩ଜଣ ଯାତ୍ରୀ ଆହତ ହୋଇଥିବା କଥା ଅଗ୍ନିଶମ ଓ ଉଦ୍ଧାର ସେବାର ମୁଖ୍ୟ ମୁଖପାତ୍ର ପିଟ୍ ପାଇରିଙ୍ଗର୍ କହିଛନ୍ତି।
ବିଜୁଳି ତାରରେ ଛନ୍ଦି ହୋଇ ଲାଖିଯାଇଥିବା ବିମାନଟିକୁ ଉଦ୍ଧାର କରାଯିବା ବେଳେ ବିଜୁଳି କାଟିବାକୁ ପଡ଼ିବାରୁ ଫଳରେ ୮୦,୦୦୦ ଉପଭୋକ୍ତାଙ୍କ ଘର ଅନ୍ଧାରରେ ବୁଡ଼ି ଯାଇଥିଲା ବୋଲି ‘ୟୁଟିଲିଟି ପେପ୍କୋ’ ରିପୋର୍ଟ କରିଛି।
ସୁନିଶ୍ଚିତ କାରଣ ଜଣାପଡ଼ି ନ ଥିଲେ ବି ମେଘୁଆପାଗ ଯୋଗୁ ଏକ ବ୍ୟାବସାୟିକ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ପ୍ରାୟ ୧୦ ତାଲା କୋଠା ଉଚ୍ଚରେ ଟଣାଯାଇଥିବା ବିଜୁଳି ତାରରେ ବିମାନଟି ଧକ୍କା ଖାଇଥିଲା ବୋଲି ‘ଦି ୱାସିଂଟନ୍ ପୋଷ୍ଟ୍’ ରିପୋର୍ଟ କରିଛି।
ସାମାଜିକ ଗଣମାଧ୍ୟମରେ ସେୟାର୍ କରାଯାଇଥିବା ଭିଡିଓରେ ଦେଖାଯାଉଛି, ଧଳାରଙ୍ଗର ବିମାନଟି ବିଜୁଳି ଟାୱାର୍ ନିକଟରେ ଉପରମୁହାଁ ହୋଇ ଭୂଇଁଠାରୁ ପ୍ରାୟ ୧୦୦ ଫୁଟ୍ ଉଚ୍ଚରେ ଲାଖି ରହିଛି।
ୱାସିଂଟନ୍ ଡି.ସି.ଠାରୁ ପ୍ରାୟ ୩୯ କିଲୋମିଟର୍ ଦୂରରେ ଅବସ୍ଥିତ ଛୋଟ ସହର ଗେଥର୍ଜବର୍ଗରେ ଉପରୋକ୍ତ ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ସଂକ୍ରାନ୍ତରେ ତଦନ୍ତ ଚାଲିଥିବା କଥା ମଣ୍ଟ୍ଗମେରି କାଉଣ୍ଟି ପୁଲିସ କହିଛି।