ବାଂଲାଦେଶରେ ବିମାନ ଅପହରଣ ଉଦ୍ୟମ ପଣ୍ଡ: ସମସ୍ତ ଯାତ୍ରୀ ସୁରକ୍ଷିତ

ଅପହରଣକାରୀ ନିହତ

ଢାକା: ବାଂଲାଦେଶର ରାଜଧାନୀ ଢାକାରୁ ଦୁବାଇ ଅଭିମୁଖେ ଯାଉଥିବା ବାଂଲା ଏୟାରଲାଇନ୍ସର ବିଜି-୧୪୭ ବିମାନକୁ ଆଜି ଅପହରଣ କରିନେବାକୁ ହୋଇଥିବା ଉଦ୍ୟମ ପଣ୍ଡ ହେବା ସହ ଅପହରଣକାରୀକୁ ସୁରକ୍ଷା କର୍ମୀମାନେ ନିପାତ କରିଛନ୍ତି। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ଢାକାରୁ ବିମାନ ଉଡ଼ାଣ ଆରମ୍ଭ କରିବାର ପ୍ରାୟ ଅଧ ଘଣ୍ଟା ପରେ ଜଣେ ବନ୍ଧୁକଧାରୀ କୌଣସିମତେ କକ୍‌ପିଟ୍‌ରେ ପଶିଯାଇଥିଲା। କିନ୍ତୁ ପାଇଲଟ୍‌ ଠିକ୍‌ ସମୟରେ ଆଲାର୍ମ ବଜାଇବାରେ ସକ୍ଷମ ହୋଇଥିବାରୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଜରୁରୀ ପଦକ୍ଷେପ ଆରମ୍ଭ ହୋଇଥିଲା। ଏହା ପରେ ଚିତ୍ତଗଂଗ୍ ସ୍ଥିତ ଶାହ ଅମାନତ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉକ୍ତ ବିମାନର ଜରୁରୀ ଅବତରଣ କରାଯାଇଥିଲା ଏବଂ ସମସ୍ତ ୧୪୫ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଯାତ୍ରୀମାନେ ବାହାରି ଆସିବା ପରେ ବିମାନରେ କେବଳ ବନ୍ଧୁକଧାରୀ ଅପହରଣକାରୀ ବ୍ୟତୀତ ୨ ଜଣ ପରିଚାଳକ ଦଳର ସଦସ୍ୟ ଥିଲେ। ସନ୍ଧ୍ୟା ୬ଟାରେ ସେନା କମାଣ୍ଡୋଙ୍କ କାର୍ଯ୍ୟାନୁଷ୍ଠାନରେ ଅପହରଣକାରୀ ନିହତ ହୋଇଛି।

ଆଜି ସ୍ଥାନୀୟ ସମୟ ଅପରାହ୍ନ ୪ଟା ୪୫ରେ ବିମାନଟି ଦୁବାଇ ଅଭି‌ମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ୫ଟା ୧୫ରେ ବିମାନଟି ଚିତ୍ତଗଂଗ୍ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା। ଏହାପରେ ବିମାନ ବନ୍ଦର ଭିତରକୁ ସୁରକ୍ଷା ବାହିନୀ ପ୍ରବେଶ କରିଥିଲେ। ଅପହରଣକାରୀ ଜଣକ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସହ ତା’ର ଦାବି ନେଇ ଆଲୋଚନା କରିବାକୁ ବାରମ୍ବାର କହୁଥିଲା। ତେବେ ଆତ୍ମସମର୍ପଣ ପାଇଁ ସେ ରାଜି ନହେବାରୁ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ।

ସମ୍ବନ୍ଧିତ ଖବର