ସିଙ୍ଗାପୁର: ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନରେ ଭୀଷଣ ଅସ୍ଥିରତା ଦେଖାଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଖରାପ ପାଗ ଯୋଗୁଁ ସିଙ୍ଗାପୁର ଏୟାରଲାଇନ୍ସର ଏହି ବିମାନ ହଠାତ ପ୍ରବଳ ଭାବେ ଦୋହଲିବାରୁ ଏହା ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଏୟାରଲାଇନ୍ସ ପକ୍ଷରୁ ଏକ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ ଏହାର ଏକ ବୋଇଂ ବିମାନ ଏସକ୍ୟୁ-୩୨୧ ବିମାନ ହିଥ୍ରୋ ବିମାନବନ୍ଦରରୁ ସିଙ୍ଗାପୁର ଯାଉଥିବା ବେଳେ ଜୋର୍‌ରେ ଦୋହଲିବାରୁ ଜଟିଳ ସ୍ଥିତି ଉପୁଜିଥିଲା। ବିମାନଟି ମାତ୍ର ୫ ମିନିଟ୍‌ରେ ୬ ହଜାର ଫୁଟ ତଳକୁ ଖସିଥିବା ବେଳେ ଭୟାନକ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛି।

Advertisment

ଏହି ବିମାନ ସ୍ଥାନୀୟ ସମୟ ଅପରାହ୍ନ ୩ଟା ୪୫ମିନିଟରେ ବ୍ୟାଙ୍କକ୍‌ର ସୁବର୍ଣ୍ଣଭୂମି ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ଥାଇ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଆହତମାନଙ୍କୁ ଏଠାରେ ତତ୍କାଳ ଉପଯୁକ୍ତ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଛି। ତେବେ ଆହତଙ୍କ ସଂପର୍କରେ ସବିଶେଷ ତଥ୍ୟ ଜାରି ହୋଇନାହିଁ। ବିମାନରେ ସମୁଦାୟ ୨୧୧ ଜଣ ଯାତ୍ରୀ ଓ ୧୮ ଜଣ ପରିଚାଳକ ସଦସ୍ୟ ଥିଲେ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।