ସିବିଆଇକୁ ଅଧିକ ତଥ୍ୟ ମଗାଯାଇଛି, ଗୋଗୋଇଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଷଡ଼୍‌ଯନ୍ତ୍ର ମାମଲାର ତଦନ୍ତ କରୁଥିବା ଅବସରପ୍ରାପ୍ତ ବିଚାରପତି ଏକେ ପଟ୍ଟନାୟକ ସିବିଆଇ, ଆଇବି ଏବଂ ପୁଲିସଠାରୁ ଅଧିକ ତଥ୍ୟ ମାଗିଛନ୍ତି। ପଟ୍ଟନାୟକ କହିଛନ୍ତି, ସିବିଆଇ, ଆଇବି ଏବଂ ଦିଲ୍ଲୀ ପୁଲିସ ଏହି ମାମଲାରେ କେତେକ ତଥ୍ୟ ଯୋଗାଇଛନ୍ତି। ତଥ୍ୟଗୁଡିକୁ ସେ ଯାଞ୍ଚ କରୁଛନ୍ତି। କିନ୍ତୁ ଷଡ଼୍‌ଯନ୍ତ୍ରର ଦିଗକୁ ପ୍ରମାଣ କରିବା ପାଇଁ ଅଧିକ ତଥ୍ୟର ଆବଶ୍ୟକତା ଥିବା ଯୋଗୁଁ ଅନୁସନ୍ଧାନକାରୀ ଏଜେନ୍ସିଗୁଡିକୁ ଅଧିକ ତଥ୍ୟ ଯୋଗାଇବା ପାଇଁ ସେ କହିଛନ୍ତି ବୋଲି ପଟ୍ଟନାୟକ ସୂଚନା ଦେଇଛନ୍ତି। ଗୋଗୋଇଙ୍କ ବିରୋଧରେ କୋର୍ଟର ମହିଳା କର୍ମଚାରୀଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ହେବା ପରେ ଏହାର ତଦନ୍ତ ଚାଲିଥିବା ବେଳେ ଉତ୍ସବ ବେଂସ ନାମକ ଜଣେ ଆଇନଜୀବୀ ଏହାକୁ ବଡ଼ ଷଡ଼୍‌ଯନ୍ତ୍ର ବୋଲି କହିଥିଲେ। ସେ ଅଭିଯୋଗ କରିଥିଲେ, କିଛି ପ୍ରଭାବଶାଳୀ ବ୍ୟକ୍ତି ଏବଂ କୋର୍ଟର ବିଚାର ପ୍ରକ୍ରିୟାରେ ଫିକସିଂ କରୁଥିବା ଲୋକେ ଗୋଗୋଇଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର କରି ତାଙ୍କୁ ପଦରୁ ହଟେଇବାକୁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର