ଧର୍ମ ସଂସଦରେ ରାମ ମନ୍ଦିର ଆଲୋଚନା: ଶିଳାନ୍ୟାସ ତାରିଖ ଘୋଷଣା ଆଜି

ହିନ୍ଦୁ ଧର୍ମ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି: ଭାଗବତ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଥିବା କୁମ୍ଭ ଅବସରରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଏବେ ସରଗରମ ହୋଇଉଠିଛି। ଆଜିଠାରୁ ଏଠାରେ ବିଶ୍ବ ହିନ୍ଦୁ ପରିଷଦର ଧର୍ମ ସଂସଦ ଆରମ୍ଭ ହୋଇଛି। ସାଧୁସନ୍ଥମାନେ ସଂଗମ ନଗରୀରେ ମନ୍ଦିର ନିର୍ମାଣ ପାଇଁ ଦୃଢ଼ ଦାବି ଉପସ୍ଥାପନ କରି ଏ ଦିଗରେ ରହିଥିବା ସମସ୍ତ ପ୍ରତିବନ୍ଧକ ହଟାଇବାକୁ ଆହ୍ବାନ ଦେଇଛନ୍ତି। ଆସନ୍ତାକାଲି ଧର୍ମ ସଂସଦରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ଆଗତ ହେବ ବୋଲି ‌ଜଣାପଡ଼ିଛି। ଏଥିରେ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ତାରିଖ ସଂପର୍କରେ ମଧ୍ୟ ଉଲ୍ଲେଖ କରାଯିବ ବୋଲି ସାଧୁସନ୍ଥମାନେ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶ ରାଜନୀତି ସରଗରମ ହୋଇଉଠିଛି। ସରକାର ଅଯୋଧ୍ୟା ଏବଂ ପ୍ରୟାଗରାଜରେ ସୁରକ୍ଷା ସ୍ଥିତି ସୁଦୃଢ଼ କରିଛନ୍ତି। ଅଯୋଧ୍ୟାର ବିବାଦୀୟ ଜମିକୁ ଛାଡ଼ି ଅନ୍ୟ ସମସ୍ତ ଜମି ମୂଳ ମାଲିକଙ୍କୁ ଫେରାଇ ଦେବାପାଇଁ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିବାରୁ ବିଶ୍ବ ହିନ୍ଦୁ ପରିଷଦ ମନ୍ଦିର ନିର୍ମାଣ ପାଇଁ ତତ୍ପରତା ଦେଖାଇଛି। ତେବେ ବିଶ୍ବ ହିନ୍ଦୁ ପରିଷଦର ପଦକ୍ଷେପକୁ ନିର୍ମୋହୀ ଆଖଡ଼ା ବିରୋଧ କରିଛି ଏବଂ ସଂସଦର ନିଷ୍ପତ୍ତିକୁ ଆବଶ୍ୟକ ସ୍ଥଳେ ଗ୍ରହଣ କରିବ ନାହିଁ ବୋଲି ମଧ୍ୟ ଚେତାଇ ଦେଇଛି।

ଆଜି ଧର୍ମ ସଂସଦରେ ଉଦ୍‌ବୋଧନ ଦେଇ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ହିନ୍ଦୁ ଧର୍ମ ବିରୋଧରେ ଦେଶରେ ଷଡ଼ଯନ୍ତ୍ର ଚାଲିଛି । ହିନ୍ଦୁଙ୍କ ଭାବନା ପ୍ରତି ଅଦାଲତ ଆଘାତ କରୁଛନ୍ତି ଏବଂ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରୁ କଟକଣା ହଟାଇ ଧାର୍ମିକ ଭାବନାକୁ ଅସମ୍ମାନ କରାଯାଇଛି ବୋଲି ସେ କହିଛନ୍ତି। ହିନ୍ଦୁ ଧର୍ମକୁ ଅସମ୍ମାନ କରିବା ପାଇଁ ଲଗାତାର ଷଡ଼ଯନ୍ତ୍ର ଚାଲିଛି ଏବଂ ଏହା ବିଭିନ୍ନ ମାମଲାରେ ସ୍ପଷ୍ଟ ହୋଇଯାଇଛି । ତେବେ ମହିଳାମାନେ ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ସତ୍ତ୍ବେ ଧାର୍ମିକ ଭାବନାକୁ ସମ୍ମାନ ଦେଇ ମନ୍ଦିରକୁ ଯିବାକୁ ଚାହୁନଥିବାରୁ ଶ୍ରୀଲଙ୍କାରୁ ମହିଳାଙ୍କୁ ଆଣି ପଛ କବାଟ ଦେଇ ମନ୍ଦିରରେ ପ୍ରବେଶ କରାଯାଉଛି ବୋଲି ସେ କହିଛନ୍ତି। କେରଳରେ ହିନ୍ଦୁ ସମାଜ ଏବେ ଜୋର୍‌ଦାର ଆନ୍ଦୋଳନ ଚଳାଇଛି ଏବଂ ଏଥିରେ ୫ ଜଣ ସହିଦ ହୋଇଯାଇଛନ୍ତି। ହିନ୍ଦୁ ସମାଜକୁ ଆଘାତ ପହଞ୍ଚାଇବାକୁ କେରଳ ଓ ଅନ୍ୟ କେତେକ ସ୍ଥାନରେ ନୂଆ ନୂଆ ଷଡ଼ଯନ୍ତ୍ର ହେଉଛି ବୋଲି ଭାଗବତ କହିଛନ୍ତି। ଦେଶବିରୋଧୀ ଶକ୍ତିମାନଙ୍କୁ କେତେକ ଗୋଷ୍ଠୀ ଦେଉଥିବା ପ୍ରୋତ୍ସାହନ ଅତ୍ୟନ୍ତ ବିପଜ୍ଜନକ ବୋଲି ଭାଗବତ ଦର୍ଶାଇବା ସହ ଏ ଦିଗରେ ପ୍ରତ୍ୟେକ ଦେଶପ୍ରେମୀ ‌ସଚେତନ ହେବା ଆବଶ୍ୟକ ବୋଲି ବୋଲି ସେ କହିଥିଲେ ଆଜି ଧର୍ମ ସଂସଦରେ ଯୋଗଦେବା ପୂର୍ବରୁ ଭାଗବତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଥିଲେ। ପ୍ରୟାଗରାଜରେ ଆଜି ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମନ୍ଥନ ଚାଲିଥିବା ବେଳେ ଏଥିରେ ନିର୍ମୋହୀ ଆଖଡ଼ା ସାମିଲ ହୋଇନାହିଁ। ସୂଚନାଯୋଗ୍ୟ, ଅଯୋଧ୍ୟାରେ ଅଣ ବିବାଦୀୟ ଜମିର ମାଲିକାନା ରାମ ଜନ୍ମଭୂମି ନ୍ୟାସ ଏବଂ ନିର୍ମୋହୀ ଆଖଡ଼ା ପାଖରେ ରହିଛି। ଭିଏଚ୍‌ପି ସାମ୍ବାଦିକ ସମ୍ମିଳନୀ ଡକାଇ କେନ୍ଦ୍ର ସରକାରଙ୍କ ଜମି ଫେରାଇବା ପାଇଁ ପଦକ୍ଷେପକୁ ସ୍ବାଗତ କରିବା ପରେ ଗତକାଲି ନିର୍ମୋହୀ ଆଖଡ଼ା ଏହାକୁ ବିରୋଧ କରି ମନ୍ଦିର ନିର୍ମାଣ ପାଇଁ ଏହା ଭିଏଚ୍‌ପିର ଏକ ଷଡ଼ଯନ୍ତ୍ର ବୋଲି କହିଥିଲା।

ସମ୍ବନ୍ଧିତ ଖବର