ବର୍ତିପାରିବନି ପାକିସ୍ତାନ, କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ କ୍ଷମତା

ଏକଘରିଆ କରିବାକୁ କୂଟନୈତିକ ପ୍ରୟାସ, ପାକ୍‌ର ଏମ୍‌ଏଫ୍‌ଏନ୍‌ ମାନ୍ୟତା ପ୍ରତ୍ୟାହାର

ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ପୁଲୱାମାରେ ଭୟାନକ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବାପରେ ଆଜି ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ୍‌ ଫେଭର୍ଡ ନେସନ୍‌(ଏମ୍‌ଏଫ୍‌ଏନ୍‌)’ ବା ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର ମାନ୍ୟତାକୁ ଭାରତ ପ୍ରତ୍ୟାହାର କରିନେଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ ବୈଠକରେ ପାକିସ୍ତାନକୁ ଦୀର୍ଘ ୨୨ ବର୍ଷ ଧରି ଦିଆଯାଇଥିବା ମାନ୍ୟତା ଶେଷ କରିବାକୁ ନିଷ୍ପତ୍ତି ନିଆଯିବା ସହ ପାକିସ୍ତାନ ବିରୋଧରେ ଯଥାସମ୍ଭବ କଟକଣା ଲାଗୁ କରିବାକୁ ସୁପାରିସ ହୋଇଛି। ପୁଲୱାମା ଆକ୍ରମଣ ଏବଂ ପରବର୍ତ୍ତୀ ସୁରକ୍ଷା ସ୍ଥିତି ନେଇ ଏହି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଥିଲା। ସହିଦ ଯବାନଙ୍କ ସମ୍ମାନରେ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ପାକିସ୍ତାନକୁ ଅନ୍ତର୍ଜାତୀୟ ସମୁଦାୟରେ ଏକ ଘରିଆ କରିବା ପାଇଁ ଭାରତ ଏବେ କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି। ପାକିସ୍ତାନ ସେନାର ଛତ୍ରଛାୟାରେ ଚାଲିଥିବା ଜୈସ-ଏ-ମହମ୍ମଦ, ଲସ୍କର ଏ ତୋଏବା ଏବଂ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର କାରନାମା ନେଇ ବିଶ୍ବ ସମୁଦାୟକୁ ଭଲ ଭାବେ ଅବଗତ କରାଯିବା ସହ ଭାରତ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇରେ ଉପନୀତ ହେବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି। ଏ ଦିଗରେ ଭାରତ କେତେକ ଜରୁରୀ କୂଟନୈତିକ ପଦକ୍ଷେପ ତୁରନ୍ତ ଗ୍ରହଣ ଗରିବ ବୋଲି ସେ କହିଛନ୍ତି। ପୁଲୱାମା ଆକ୍ରମଣର ଜବାବ ଦେବା ଏବଂ କଶ୍ମୀରରେ ଶାନ୍ତି ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବାହିନୀକୁ ସଂପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ସୁରକ୍ଷା ବାହିନୀ ନିଜସ୍ବ ନିଷ୍ପତ୍ତିରେ ଏ ବାବଦ ପଦକ୍ଷେପ ଗ୍ରହଣ କରିବ ଏବଂ ଏ କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ ବୋଲି ଜେଟ୍‌ଲି କହିଛନ୍ତି। ଏହି ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି ଉପସ୍ଥିତ ଥିଲେ।

ପାକିସ୍ତାନକୁ ଏମ୍‌ଏଫ୍‌ଏନ୍ ମାନ୍ୟତା ପ୍ରତ୍ୟାହାର ହୋଇଥିବାରୁ ଏ ଦିଗରେ ବାଣିଜ୍ୟ ମନ୍ତ୍ରାଳୟ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରିଛି। ଏମ୍‌ଏଫ୍‌ଏନ୍ ମାନ୍ୟତା ଦ୍ବାରା ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲଟିଓ)ର ସଦସ୍ୟ ରାଷ୍ଟ୍ରମାନେ ପରସ୍ପରର ବାଣିଜ୍ୟ କାରବାରକୁ ସୁବିଧାଜନକ ଏବଂ ବ୍ୟାପକ କରିବା ପାଇଁ ପଦକ୍ଷେପ ନେଇଥାନ୍ତି ଏବଂ ଟିକସ କ୍ଷେତ୍ରରେ ମଧ୍ୟ କୋହଳ ନୀତି ଅବଲମ୍ବନ କରାଯାଇଥାଏ। ଆଜି ଭାରତ ଏହି ମାନ୍ୟତା ପ୍ରତ୍ୟାହାର କରିନେବା ପରେ ପାକିସ୍ତାନର ସମସ୍ୟା ବଢ଼ିବ ବୋଲି କୁହାଯାଉଛି । ପାକିସ୍ତାନ ଭାରତରୁ ଫଳ, ସିମେଣ୍ଟ, ଚମଡ଼ା, କେମିକାଲ ଏବଂ ମସାଲା ଆମଦାନି କରିଥାଏ। ତେବେ ଏହା ସତ୍ତ୍ବେ ଭାରତ-ପାକିସ୍ତାନ କାରବାର ବଡ଼ ନଥିବା ଏବଂ ଏହା ୨ ଶହ କୋଟି ଡଲାରରେ ସୀମିତ ରହିଥିବାରୁ ପାକିସ୍ତାନ ବିଶେଷ ପ୍ରଭାବିତ ହେବନାହିଁ ବୋଲି ଜଣାପଡ଼ିଛି। ପାକିସ୍ତାନକୁ ୧୯୯୬ରେ ଏମ୍‌ଏଫ୍‌ଏନ୍ ମାନ୍ୟତା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର