ଯୌନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କଲେ ଆକବର: ଇସ୍ତଫା ଦେବେନି ମୋକଦ୍ଦମା କରିବେ

୨୦୧୯ ନିର୍ବାଚନ ପୂର୍ବରୁ ଷଡ଼ଯନ୍ତ୍ର, ୧୧ ସାମ୍ବାଦିକା ଆଣିଛନ୍ତି ଅଭିଯୋଗ

ନୂଆଦିଲ୍ଲୀ: ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ ଆକବର ଆଜି ବିଦେଶରୁ ଫେରିବା ପରେ ତାଙ୍କ ବିରୋଧରେ ଉଠିଥିବା ସମସ୍ତ ଯୌନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ଯେଉଁମାନେ ତାଙ୍କ ବିରୋଧ‌େର ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି, ସେମାନଙ୍କ ବିରୋଧରେ ମୋକଦ୍ଦମା କରିବେ ବୋଲି କହିଛନ୍ତି। ତେବେ ମନ୍ତ୍ରୀପଦରୁ ଇସ୍ତଫା ଦେବା ବାବଦରେ ଆକବର କିଛି ପ୍ରତିକ୍ରିୟା ରଖିନାହାନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଆକବର କହିଛନ୍ତି ଯେ ସରକାରୀ କାର୍ଯ୍ୟରେ ସେ ବିଦେଶ ଯାଇଥିଲେ। ତେଣୁ ବିଦେଶରୁ ଆସିବା କ୍ଷଣି ଜବାବ ରଖିପାରିନଥିଲେ। ତେବେ ତାଙ୍କ ବିରୋଧରେ ଯାହା କିଛି ବି ଅଭିଯୋଗ ଆସିଛି, ତାହା ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ। ସେଥିରେ କାଣିଚାଏ ସତ୍ୟତା ନାହିଁ। ଜାଣିଶୁଣି ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି। ପ୍ରମାଣ ନଥାଇ ଅଭିଯୋଗ ଲଗାଇବା‌ ଏବେ କିଛି ବର୍ଗର ଲୋକଙ୍କ ମଧ୍ୟରେ ଏକ ଭୂତାଣୁ ଜ୍ବର ସଦୃଶ ହୋଇଯାଇଛି। କିନ୍ତୁ ମୁଁ ବିଦେଶରୁ ଫେରିଆସିଛି। ଏ ପ୍ରସଙ୍ଗ‌େର ମୋ ଓକିଲ ସବୁ ତଦାରଖ କରିବେ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ବାବଦରେ ପଦକ୍ଷେପ ନେବେ।

ଆଫ୍ରିକାରୁ ଫେରିଥିବା ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ମୋ ବିରୋଧରେ ଅଭିଯୋଗ ଆଣିଥିବା କିଛି ମହିଳା ସାମ୍ବାଦିକ ପୂର୍ବରୁ ମି ଠୁ ଅଭିଯାନରେ ସାମିଲ ହୋଇ ଅନେକ ନିବନ୍ଧ ପ୍ରକାଶ କରିଛନ୍ତି। କିନ୍ତୁ ସେବେ ମୋ ନାଁ ଆଦୌ ଉଠିନଥିଲା। ଏବେ କ’ଣ ପାଇଁ ଏଭଳି କରାଯାଉଛି? ଆଉ କିଛି ମାସ ପରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ବୋଧେ ନିର୍ବାଚନକୁ ନଜରରେ ରଖି ଏଭଳି କରାଯାଉଛି ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ମୁଁ ନଥିବା ଅବସ୍ଥାରେ ମୋ ବି‌େରାଧରେ ଅଭିଯୋଗ ଅଣାଯାଇଛି। ଏହି ଭିତ୍ତିହୀନ ଅଭିଯୋଗ ମୋ ମର୍ଯ୍ୟାଦା ପ୍ରତି କ୍ଷତି ପହଞ୍ଚାଇଛି। କାରଣ ମିଛର ଗୋଡ଼ ନଥାଏ ସତ, କିନ୍ତୁ ଏଥିରେ ବିଷ ଭରି ରହିଥାଏ। ଆକବର କହିଛନ୍ତି, ପ୍ରିୟା ରମାନି ଏକ ପତ୍ରିକାରେ ମି ଠୁ ଅଭିଯାନ ପ୍ରସଙ୍ଗରେ ବିଭିନ୍ନ ନିବନ୍ଧ ପ୍ରକାଶ କରିଛନ୍ତି। କିନ୍ତୁ କେଉଁଥିରେ ସେ ମୋ ନାଁ ନେଇନାହାନ୍ତି। କାରଣ ସେ ଜାଣିଛନ୍ତି, ମୁଁ ସେଭଳି କିଛି କରିନାହିଁ ବୋଲି। କିନ୍ତୁ ଏବେ ମୋ ନାଁ ସେ ଉଠାଉଛନ୍ତି। ମନଗଢ଼ା କଥା କହୁଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ମୋ ନାମ ଆଣିବାର ମାନେ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜନୀତିରେ ପ୍ର‌େବଶ ପୂର୍ବରୁ ଆକବର ଜଣେ ସାମ୍ବାଦିକ ଭାବେ ଏକାଧିକ ଖବରକାଗଜ ସଂସ୍ଥାରେ ସମ୍ପାଦକ ରହିଥିଲେ। ସମ୍ପାଦକ ଥିବା ବେଳେ ସେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଉଠିଛି। ୧୧ ଜଣ ମହିଳା ସାମ୍ବାଦିକ ଏହି ଅଭିଯୋଗ କରିଛନ୍ତି। ପ୍ରିୟା ରମାନି ପ୍ରଥମେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ହୋଟେଲ୍‌ ରୁମ୍‌ରେ ସାକ୍ଷାତକାର ବେଳେ ଆକବର ଅଶ୍ଳୀଳ ଆଚରଣ କରିବା ସହିତ ଯୁବତୀମାନଙ୍କୁ ନିର୍ଯାତନା ଦେଉଥିଲେ ବୋଲି ସେ କହିଥିଲେ। ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅନ୍ୟମାନେ ହେଲେ ବ୍ରିଟେନ୍‌ଭିତ୍ତିକ ସାମ୍ବାଦିକା ରଥ୍‌ ଡେଭିଡ୍‌, ଆମେରିକୀୟ ସାମ୍ବାଦିକା ମଜ୍‌ଲି ଡି ପୁ କ୍ୟାମ୍ପ୍, ସବା ନକ୍‌ବି, ଗଜଲା ୱାହାବ, ସୁତାପା ପଲ୍‌, ସୁମା ରାହା, କନିକା ଗେହଲଟ୍‌, ସୁପର୍ଣ୍ଣା ଶର୍ମା, ପ୍ରେରଣା ବିନ୍ଦ୍ରା ଓ କାଦମ୍ବରୀ ୱାଦେ।

ସମ୍ବନ୍ଧିତ ଖବର