ତଟବର୍ତ୍ତୀ ଅଞ୍ଚଳରେ ବଡ଼ ଆକ୍ରମଣ ଆଶଙ୍କା : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

କୋଲ୍ଲାମ୍‌: ଭାରତର ତଟବର୍ତ୍ତୀ ଅଞ୍ଚଳରେ ପଡ଼ୋଶୀ ରାଷ୍ଟ୍ରଦ୍ବାରା ବଡ଼ ଧରଣର ଆକ୍ରମଣ ଆଶଙ୍କାକୁ ଏଡ଼ାଇ ହେବନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସମସ୍ତ ତଟବର୍ତ୍ତୀ ଅଞ୍ଚଳ ଏବଂ ସମୁଦ୍ର ପଥର ସୁରକ୍ଷା ପାଇଁ ସରକାରଙ୍କ ଦ୍ବାରା ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ଯେ କୌଣସି ଆକ୍ରମଣକୁ ପଣ୍ଡ କରିବା ପାଇଁ ଭାରତୀୟ ନୌସେନା ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ରାଜନାଥ କହିଛନ୍ତି।। ଉଭୟ ତଟବର୍ତ୍ତୀ ଅଞ୍ଚଳ ଏବଂ ସମୁଦ୍ର ସୁରକ୍ଷା ପାଇଁ ସରକାର ବଦ୍ଧପରିକର ବୋଲି ରାଜନାଥ ଆଜି କେରଳର କୋଲ୍ଲାମ୍‌ରେ ମାତା ଅମୃତାନନ୍ଦମୟୀ ଦେବୀଙ୍କର ୬୬ ତମ ଜନ୍ମ ବାର୍ଷିକୀ ଅବସରରେ କହିଛନ୍ତି।

ରାଜନାଥ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ ଭାବେ ‌ସେ ଲୋକମାନଙ୍କୁ ଆଶ୍ବାସନା ଦେଉଛନ୍ତି ଯେ, ଭାରତ ଯେ କୌଣସି ସଙ୍କଟକୁ ଭଲଭାବେ ମୁକାବିଲା କରିପାରିବ। ଭାରତକୁ ଯିଏ ବିବ୍ରତ କରିବ, ଭାରତ ତାହାକୁ ଆଦୌ ଛାଡ଼ିବ ନାହିଁ। ଗତକାଲି ମଧ୍ୟ ରାଜନାଥ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଥିଲେ ‌ଯେ ଏହା ୧୯୭୧ ଭୁଲ୍‌ର ପୁନରାବୃତ୍ତି ନକରୁ। ରାଜନାଥ ଜହିଛନ୍ତି, ସେ ଯେତେବେଳେ ଗୃହମନ୍ତ୍ରୀ ଥିଲେ ସେ ସମୟରେ ପୁଲୱାମା ଆତ୍ମଘାତୀ ଆକ୍ରମଣ ହୋଇଥିଲା ଏବଂ ଯେଉଁ ଯବାନମାନେ ସହିଦ ହୋଇଥିଲେ ସେମାନଙ୍କ ତ୍ୟାଗକୁ ଦେଶ କେବେ ବି ଭୁଲିପାରିବନି। ଏହା ପରେ ପାକିସ୍ତାନର ବାଲାକୋଟ୍‌ ସ୍ଥିତ ଆତଙ୍କବାଦୀ କ୍ୟାମ୍ପ୍‌ ଉପରେ ଆକ୍ରମଣ ହୋଇଥିଲା। ରାଜନାଥ କହିଛନ୍ତି, ଆମକୁ ଯିଏ ବିଚଳିତ କରିବାକୁ ଚେଷ୍ଟା କରିବ ଆମେ ତାକୁ ଆଦୌ ଶାନ୍ତିରେ ରଖାଇ ଦେବୁନାହିଁ। । ଯେଉଁ ଦେଶ (ପାକିସ୍ତାନ) ନିଜ ‌ସୈନିକମାନଙ୍କୁ ବି ସମ୍ମାନ ଦେଇ ଶିଖିନାହିଁ, ସେଭଳି ଦେଶକୁ ସାରା ବିଶ୍ବରେ ‌କେଉଁଠି ବି ସମ୍ମାନ ମିଳିବ ନାହିଁ ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର