ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡ଼୍‍ଯନ୍ତ୍ର

ସାମ୍‌ନାକୁ ଆସିଲା ମାଓବାଦୀଙ୍କ ଚିଠି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ଚାଲିଛି। ୧୯୯୧ ମସିହା ମେ’ ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେଉଁ ଢଙ୍ଗରେ ହତ୍ୟା କରାଯାଇଥିଲା ଠିକ୍‌ ସେହି ଢଙ୍ଗରେ ମୋଦିଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏନେଇ ବଳିଷ୍ଠ ପ୍ରମାଣ ପାଇଛି ପୁଣେ ପୁଲିସ। ଭୀମା କୋରେଗାଓଁ ହିଂସାକାଣ୍ଡ ମାମଲାରେ ପୁଣେ ପୁଲିସ ଗତ ବୁଧବାର ଦିନ ୫ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କର ମଧ୍ୟ ମାଓବାଦୀଙ୍କ ସହ ଲିଙ୍କ୍‌ ଥିବା ପୁଲିସ ଅଭିଯୋଗ କରିଥିଲା। ତେବେ ଏହି ୫ ଜଣଙ୍କ ମଧ୍ୟରୁ ଜଣଙ୍କ ବାସଭବନରୁ ପୁଲିସ ମାଓବାଦୀଙ୍କ ଚିଠି ପାଇଛି।ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଯୋଜନା ଚାଲିଥିବା ସମ୍ପର୍କରେ ବିସ୍ତତ ବିବରଣୀ ରହିଛି। ପୁଣେ ପୁଲିସ ଆଜି କୋର୍ଟରେ ସମସ୍ତ ଅଭିଯୁକ୍ତମାନଙ୍କୁ ହାଜର କରିଥିବାବେଳେ ଏହି ଚିଠିଟିକୁ ମଧ୍ୟ କୋର୍ଟରେ ଉପସ୍ଥାପନ କରିଛି। ଚିଠିଟି ‘କମ୍ରେଡ୍‌ ପ୍ରକାଶ’ଙ୍କୁ ସମ୍ବୋଧିତ କରାଯାଇ ଲେଖାଯାଇଛି। ଏହି ଚିଠିଟିକୁ ପଠାଇଥିବା ବ୍ୟକ୍ତିଙ୍କ ନାମ କେବଳ ‘ଆର’ ରହିଛି। ଦେଶବ୍ୟାପୀ ବିଜେପିର ଏହି ବିଜୟ ଧାରା ଜାରି ରହିଲେ ଏହା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ତେଣୁ କିଛି ବରିଷ୍ଠ କମ୍ରେଡ୍‌ ମୋଦି ରାଜ୍‌ର ଅନ୍ତ ଘଟାଇବାପାଇଁ ବଳିଷ୍ଠ ପଦକ୍ଷେପ ନେଇଥିବା ଉକ୍ତ ଚିଠିରେ କୁହାଯାଇଛି। ଚିଠିଟିରେ ୨୦୧୭ ମସିହା ଏପ୍ରିଲ ୧୮ ତାରିଖ ରହିଛି। ପୁଲିସ ଗିରଫ କରିଥିବା ୫ ଜଣଙ୍କ ମଧ୍ୟରୁ ଜଣେ ତଥା ଦିଲ୍ଲୀର ରୋନା ଓ୍ଵିଲସନ୍‌ଙ୍କ ଲାପଟପ୍‌ରୁ ପୁଲିସ ଏହି ଚିଠି ପାଇଛି। ଏଥିରେ ଏମ୍‌-୪ ରାଇଫଲ୍‌ ଏବଂ ୪ ଲକ୍ଷ ଅସ୍ତ୍ରଶସ୍ତ୍ର ପାଇଁ ୮ କୋଟି ଟଙ୍କାର ଆବଶ୍ୟକତା ଥିବା ଲେଖାଯାଇଛି। ରାଜୀବ ଗାନ୍ଧୀଙ୍କ ପରି ମାନବ ବୋମା ଯୋଗେ ମୋଦିଙ୍କୁ ହତ୍ୟା କରିବାର ଯୋଜନା ଏହି ମଧ୍ୟ ଚିଠିରେ ଉଲ୍ଲେଖ ଥିଲା। କିଭଳି ଏହି ଲକ୍ଷ୍ୟ ସାଧନ ହୋଇପାରିବ ସେ ନେଇ ମଧ୍ୟ ନକ୍ସା ପ୍ରସ୍ତୁତ ହୋଇ ସାରିଛି।

ଟାର୍ଗେଟ୍‌ ଥିଲା ମୋଦିଙ୍କ ରୋଡ୍‌ ସୋ’
ରାଜୀବ ଗାନ୍ଧୀଙ୍କ ଭଳି ମାନବ ବୋମା ଭେଟି ଦେଇଥା’ନ୍ତେ
ଏମ୍‌୪ ରାଇଫଲ୍‌, ୪ ଲକ୍ଷ ଅସ୍ତ୍ରଶସ୍ତ୍ର ମଗାଇଥିଲେ

ନିରାପତ୍ତାର ସମୀକ୍ଷା କରାଯିବ: ରାଜନାଥ
ଜମ୍ମୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ଲାଗି ମାଓବାଦୀମାନେ ଯୋଜନା ଚଳାଇଥିବା ଖବର ପଦାକୁ ଆସିବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଆମେ ସବୁ ସମୟରେ ଗୁରୁତ୍ୱ ଦେଇ ଆସିଛୁ। ତେଣୁ ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାର ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି। ମାଓବାଦୀମାନେ ପରାଜୟର ଯୁଦ୍ଧ ଲଢ଼ୁଛନ୍ତି। ଦେଶରେ ସେମାନଙ୍କ କାର୍ଯ୍ୟକଳାପ କେବଳ ୧୦ଟି ଜିଲ୍ଲାରେ ସକ୍ରିୟ ରହିଛି ବୋଲି ଦୁଇ ଦିନିଆ ଜମ୍ମୁ କଶ୍ମୀର ଗସ୍ତ ଶେଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜନାଥ ଏହା କହିଛନ୍ତି।

ଅନୁକମ୍ପା ହାତେଇବା ପାଇଁ ଚାଲାକି: କଂଗ୍ରେସ
ନୂଆଦିଲ୍ଲୀ: ଅନ୍ୟପକ୍ଷରେ ଏହି ଚିଠିଟିକୁ କଂଗ୍ରେସ ଗୁରୁତର ସହ ନେଇନାହିଁ। କଂଗ୍ରେସ ଦାବି କରିଛି ଯେ ଯେତେବେଳେ ବି ମୋଦିଙ୍କ ଲୋକପ୍ରିୟତା କମେ ସେ ସମୟରେ ସେ ଏମିତି ତରିକା ଆପଣାନ୍ତି। କଂଗ୍ରେସର ସଞ୍ଜୟ ନିରୁପମ ଆଜି ଏନେଇ କହିଛନ୍ତି ଯେ ଏହି ଚିଠିଟିକୁ ଜାଣିଶୁଣି ପ୍ରସ୍ତୁତ କରାଯାଇଛି। ଯଦିଓ ଏହାକୁ ସେ ସମ୍ପୂର୍ଣ୍ଣ ଅସତ୍ୟ ବୋଲି କହୁନାହାନ୍ତି, କିନ୍ତୁ ପୂର୍ବରୁ ମୋଦି ତାଙ୍କ ଲୋକପ୍ରିୟତା ଟିକେ କମିଲେ ଏହି ତରିକା ଆପଣାଇଥିବାରୁ ଏବେ ମଧ୍ୟ ସେମିତି ହୋଇଥାଇପାରେ ବୋଲି ସେ ବିଶ୍ୱାସ କରୁଛନ୍ତି।

ଘଟଣା ତଦନ୍ତ ସାପେକ୍ଷ: ୟେଚୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଓବାଦୀଙ୍କ ହତ୍ୟା ଷଡ଼ଯନ୍ତ୍ର ପ୍ରସଙ୍ଗରେ ମତ ରଖିଛନ୍ତି ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। ସେ କହିଛନ୍ତି ଯେ, ଗୁଇନ୍ଦା ବିଭାଗକୁ ସବୁ ନେତାଙ୍କ ସୁରକ୍ଷା ଚିନ୍ତା ରହିଛି। କିନ୍ତୁ ଯଦି ଏଭଳି କିଛି ଘଟଣା ସାମ୍ନାକୁ ଆାସିଛି ତାହା ତଦନ୍ତ ସାପେକ୍ଷ। ଘଟଣାର ନିରପେକ୍ଷ ତଦନ୍ତ କରାଯାଉ। ପ୍ରକୃତ ସତ କ’ଣ ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର