କଶ୍ମୀରରେ ଅସ୍ଥିରତା ପାଇଁ ପାକ୍‌ ଷଡ଼ଯନ୍ତ୍ର, ପିଓକେରେ ତାଲିମ ‌ନେଉଛନ୍ତି ଆତଙ୍କବାଦୀ

ଜେରା ସମୟରେ ସତ ଓଗାଳିଲେ ପାକ୍‌ ଆତଙ୍କବାଦୀ, କଶ୍ମୀର ଆସିଛନ୍ତି ୭ ଏଲ୍‌ଇଟି ଆତଙ୍କବାଦୀ

ଇସଲାମାବାଦ୍‌: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଏବେ ପିଓକେରେ ଲସ୍କର ଆତଙ୍କବାଦୀମାନଙ୍କୁ ତାଲିମ ଦେଉଛି। ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକୁ କିଭଳି ଟାର୍ଗେଟ୍‌ କରିବାକୁ ହେବ ସେନେଇ ପାକିସ୍ତାନ ଲସ୍କର ଆତଙ୍କବାଦୀମାନଙ୍କୁ ସ୍ବତନ୍ତ୍ର ତାଲିମ ଦେଉଛି ବୋଲି ଭାରତୀୟ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ିଥିବା ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ସତ ଓଗାଳିଛନ୍ତି। ୟ ସୁରକ୍ଷା ବାହିନୀ ନିକଟରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ଖଲିଲ୍‌ ଅହମଦ ଏବଂ ନଜିମ ଖୋକରକୁ ଗିରଫ କରିଥିଲା। ସେମାନଙ୍କୁ ଜେରା ସମୟରେ ଜଣାପଡ଼ିଛି ଯେ ପାକିସ୍ତାନ ଭାରତରେ ହିଂସା ଓ ଉତ୍ତେଜନା ସୃଷ୍ଟି କରିବାକୁ ବଡ଼ ଷଡ଼ଯନ୍ତ୍ର କରିଛି। ଭାରତ ସରକାରଙ୍କ ଦ୍ବାରା ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନର ଭାରତ ବିରୋଧୀ ମାନସିକତା ସବୁ ସୀମା ଟପିଛି । ପାକିସ୍ତାନ ଏବେ ଆତଙ୍କବାଦୀଙ୍କୁ କଶ୍ମୀର ପଠାଇ ସିରିଜ୍‌ ଆକ୍ରମଣ କରାଇବା ଯୋଜନାରେ ରହିଛି।

ପାକିସ୍ତାନ ନିକଟରେ ୭ ଏଲ୍‌ଇଟି ଆତଙ୍କବାଦୀଙ୍କୁ ତାଲିମ ପରେ କଶ୍ମୀର ପଠାଇଥିବା ଜଣାପଡ଼ିଛି। ଗିରଫ ହୋଇଥିବା ୨ ଆତଙ୍କବାଦୀ ଅହମଦ ଏବଂ ଖୋକର ଏହି ୭ ଜଣଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ। ଏମାନଙ୍କ ମଧ୍ୟରେ ୩ ଜଣ ଆଫଗାନ ନାଗରିକ ମଧ୍ୟ ଅଛନ୍ତି। ସେମାନେ ସ୍ଥାନୀୟ ବିଚ୍ଛିନ୍ନତାବାଦୀଙ୍କଠାରୁ ସହଯୋଗ ପାଉଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ପାକିସ୍ତାନ ପଟୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ଏବେ ଏଲ୍‌ଓସିରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରାଯାଇଛି । ଆତଙ୍କବାଦୀମାନେ ଏବେ ଜମ୍ମୁ କଶ୍ମୀରରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବାରୁ ଏହା ଖୁବ୍‌ ଚିନ୍ତାଜନକ ହୋଇଛି।

ସମ୍ବନ୍ଧିତ ଖବର