ଜୁନ୍‌ ତୃତୀୟ ସପ୍ତାହରୁ ଆରମ୍ଭ ହୋଇଥିଲା ଅବଗଣନା

ନୂଆଦିଲ୍ଲୀ : ଜୁନ୍‌ ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନ ପାଇଁ ଅବଗଣନା ଆରମ୍ଭ କରିଥିଲେ। ଛତିଶଗଡ଼ କ୍ୟାଡର୍‌ର ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ବିଭିଆର ସୁବ୍ରମଣ୍ୟମ୍‌ଙ୍କୁ ଜମ୍ମୁ କଶ୍ମୀରର ନୂଆ ମୁଖ୍ୟ ସଚିବ ନିଯୁକ୍ତ କରିବା ସମୟରେ ମୋଦୀ ଏନେଇ ଅବଗଣନା ଆରମ୍ଭ କରିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ମୋଦୀଙ୍କ ମିସନ୍‌ କଶ୍ମୀର ପାଇଁ କାମ କରୁଥିବା ପ୍ରମୁଖ ଅଧିକାରୀମାନଙ୍କ ମଧ୍ୟରେ ସୁବ୍ରମଣ୍ୟମ୍‌ ମଧ୍ୟ କାମ କରୁଥିଲେ। ତେବେ ପରେ ଜମ୍ମୁ କଶ୍ମୀର ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ‌କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ସହ ‌ସେ ଏକ ସ୍ବତନ୍ତ୍ର ଟିମ୍‌ ସହ କଶ୍ମୀର ସ୍ଥିତି ସମୀକ୍ଷା କରିଥିଲେ। ଏହି ସ୍ବତନ୍ତ୍ର ଟିମ୍‌ରେ ଆଇନ ଏବଂ ନ୍ୟା‌ୟ ସଚିବ ଆଲୋକ ଶ୍ରୀବାସ୍ତବ, ଅତିରିକ୍ତ ଆଇନ ସଚିବ (ଗୃହ) ଆର ଏସ୍‌ ବର୍ମା, ଆଟୋର୍ନି ଜେନେରାଲ କେକେ ବେଣୁଗୋପାଳ, କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା ସାମିଲ ଥିଲେ।

ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଶାହ ଆରଏସଏସ୍‌ ମୁଖ୍ୟ ମୋହନ ଭାବବତ ଏବ ତାଙ୍କ ସହଯୋଗୀ ଭାୟାଜୀ ଯୋଶୀଙ୍କ ସହ ଧାରା ୩୭୦ ଉଚ୍ଛେଦ ନେଇ ଆଲୋଚନା କରିଥିଲେ। ତେବେ ଏସଂକ୍ରାନ୍ତ ଆଇନଗତ ପରାମର୍ଶ ନେବାପରେ ଶାହ ଧାରା ୩୭୦ ଉଚ୍ଛେଦ ଉପରେ ଲକ୍ଷ୍ୟ ରଖିଥିଲେ। ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ‌ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଶାହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ ସହ ଅନେକ ଥର ବୈଠକ କରିଥିଲେ। ପ୍ରଥମେ ଶାହ ନିଜେ ଯାଇ କଶ୍ମୀରରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ ଏବଂ ପରେ ସୁରକ୍ଷା ସ୍ଥିତି ସମୀକ୍ଷା କରିବାପାଇଁ ଡୋଭାଲ୍‌ଙ୍କୁ ଶ୍ରୀନଗର ପଠାଯାଇଥିଲା। ଏନ୍‌ଏସଏ ପକ୍ଷରୁ କଶ୍ମୀରରେ ୩ ଦିନ ପର୍ଯ୍ୟନ୍ତ ରହି ସ୍ଥିତି ସମୀକ୍ଷା କରାଯାଇଥିଲା। ପରେ ଜୁଲାଇ ୨୬‌ରେ ଅମରନାଥ ଯାତ୍ରା ବାତିଲ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରେ ସମସ୍ତ ପର୍ଯ୍ୟଟକଙ୍କୁ କଶ୍ମୀର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ପ୍ରଥମେ ୧୦,୦୦୦ ଯବାନ ଜମ୍ମୁ କଶ୍ମୀର ଗଲେ। ସୁବ୍ରମଣ୍ୟମ୍‌ ଏସଂକ୍ରାନ୍ତ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ସେନା ମୁଖ୍ୟ, ଗୁଇନ୍ଦା ସଂସ୍ଥା‌ ମୁଖ୍ୟ ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ କେନ୍ଦ୍ର ଗୃହ ସଚିବ ଏବଂ ମୁଖ୍ୟ ସଚିବଙ୍କୁ ଏନେଇ ସହ‌ଯୋଗ କରାଯାଇଥିଲା। ଅଗଷ୍ଟ ୪ ତାରିଖ ରାତିରେ ମୁଖ୍ୟ ସଚିବ ଜମ୍ମୁ କଶ୍ମୀର ପୁଲିସ ଡିଜି ଦିଲବାଗ୍‌ ସିଂହଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ତଥା ପ୍ରମୁଖ ରାଜନେତାମାନଙ୍କୁ ଗୃହବନ୍ଦୀ କରି ରଖିବା ସହ ମୋବାଇଲ୍‌ , ଇଣ୍ଟରନେଟ୍‌ ସେବା ବନ୍ଦ ଏବଂ କର୍ଫ୍ୟୁ ଜାରି କରିବାପାଇଁ କୁହାଯାଇଥିଲା। ଅନ୍ୟପକ୍ଷେ ରାଜ୍ୟସଭାରେ ଏହି ପ୍ରସ୍ତାବକୁ ସମର୍ଥନ ଦେବାପାଇଁ ଶାହ ରାଜ୍ୟସଭା ସଦସ୍ୟମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ। ଏକ ସ୍ବତନ୍ତ୍ର ଟିମ୍‌ ମଧ୍ୟ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିବାପାଇଁ ବିଏସ୍‌ପି ନେତା ସତୀଶ ମିଶ୍ରଙ୍କୁ ମନାଇପାରିଥିବା ସୂତ୍ରରୁ ଜଣାପଡ଼ିଛି। ଏହାପରେ ଅମିତ ଶାହ ମଧ୍ୟ ସାମ୍ବାଦିକମାନଙ୍କ ସହ ଏକ ରୁଦ୍ଧଦ୍ବାର ବୈଠକ କରିଥିଲେ।

ସମ୍ବନ୍ଧିତ ଖବର