ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ଭାରତୀୟଙ୍କ ମୃତ୍ୟୁ ପରେ ‌ସୀମାରେ ଉତ୍ତେଜନା ଲାଗି ରହିଛି। ଆତଙ୍କବାଦୀଙ୍କୁ ଖୋଜିବା ଲାଗି ସେନା ଓ ପୁଲିସ ବାହିନୀ ପକ୍ଷରୁ ଜୋରଦାର୍‌ ତଲାସି ଅଭିଯାନ ଚାଲିଛି। ଗତ କିଛିଦିନ ମଧ୍ୟରେ ଜମ୍ମୁ କାଶ୍ମୀରରେ ପ୍ରାୟ ୧୦ ଜଣ ଆତଙ୍କବାଦୀଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।  ଆତଙ୍କବାଦୀମାନଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଥିବା ପାକିସ୍ତାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଏଭଳି ସ୍ଥିତିରେ ସରକାର ଓ ସେନା ମଧ୍ୟରେ ଘନଘନ ବୈଠକ ବସୁଛି। ଆତଙ୍କବାଦୀ ଏବଂ ଆତଙ୍କବାଦକୁ ସମର୍ଥନ କରୁଥିବା ଶକ୍ତି ଉପରେ ଆକ୍ରମଣ ନେଇ ଯୋଜନା ପ୍ରସ୍ତୁତ ହେଉଛି। ଏହି ମର୍ମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ୭, ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ପୂର୍ବାହ୍ଣ ୧୧ଟାରେ ଭେଟି ଆଲୋଚନା କରିଛନ୍ତି। ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ମଧ୍ୟ ଉପସ୍ଥିତ ଥିଲେ। ସବୁଠୁ ବଡ଼ କଥା ହେଉଛି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସିଡିଏସ୍‌ ଅନୀଲ ଚୌହାନଙ୍କ ସହିତ ମଧ୍ୟ ଆଲୋଚନା କରିସାରିଛନ୍ତି। 

Advertisment

ଆଜିର ବୈଠକରେ ରାଜନାଥ ପ୍ରଧାନମନ୍ତ୍ରୀଙ୍କୁ ଜମ୍ମୁ କାଶ୍ମୀରର ସୁରକ୍ଷା ସଂପର୍କରେ ଅବଗତ କରିଥିବା ଅନୁମାନ କରାଯାଉଛି। କିଛି ବିଶେଷଜ୍ଞଙ୍କ କହିବାନୁଯାୟୀ ପାକିସ୍ତାନ ପାଇଁ ଚୂଡ଼ାନ୍ତ ଯୋଜନା ଭାରତ ଏବେ ପ୍ରସ୍ତୁତ କରୁଛି। ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭେଟି ଏ ସଂପର୍କରେ ଅବଗତ କରିଛନ୍ତି। ପୂର୍ବାହ୍ଣରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ଏନଏସ୍‌ଏଙ୍କ ମଧ୍ୟରେ ଆଲୋଚନା ହୋଇଥିବାବେଳେ ଅପରାହ୍ଣରେ ପ୍ରତିରକ୍ଷା ସଂସଦୀୟ ସ୍ଥାୟୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ରାଧାମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ଯୋଗ ଦେଇ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି।  

ଘନଘନ ବୈଠକ: ମୋଦୀଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କଲେ ରାଜନାଥ

ପହଲଗାମ ଆକ୍ରମଣକାରୀଙ୍କୁ ୪ ଥର ଘେରିଲେଣି ସୁରକ୍ଷାକର୍ମୀ 
ପ୍ରତିରକ୍ଷା ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ
ଭାରତ ପକ୍ଷରୁ ଆକ୍ରମଣ ଆସନ୍ନ: ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ

ସେପଟେ ଜମ୍ମୁ କାଶ୍ମୀରର ଘଞ୍ଚ ଜଙ୍ଗଲ ମଧ୍ୟରେ ପହଲଗାମ ଆକ୍ରମଣର ଅଭିଯୁକ୍ତମାନଙ୍କୁ ସେନା ଓ ପୁଲିସର ମିଳିତ ବାହିନୀ ଖୋଜିବାରେ ଲାଗିଛନ୍ତି। ଗତ ୫ ଦିନ ମଧ୍ୟରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅତି କମ୍‌ରେ ୪ ଥର ଘେରିଲେଣି। ଦକ୍ଷିଣ କାଶ୍ମୀର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଥରେ ଗୁଳି ବିନିମୟ ବି ହୋଇଛି। ସ୍ଥାନୀୟ ବାସିନ୍ଦା ଏବଂ ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି। ପ୍ରତିଥର ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଚିହ୍ନଟ କରି ଗୁଳିମାଡ଼ ଆରମ୍ଭ କରିବା ବେଳକୁ ସେମାନେ ଖସି ଯାଉଛନ୍ତି। ଜଣେ ସେନା ଅଧିକାରୀ ଦୃଢ଼ୋକ୍ତି ବାଢ଼ି କହିଛନ୍ତି, ଖୁବ୍‌ ଶୀଘ୍ର ଆକ୍ରମଣକାରୀଙ୍କୁ ନିପାତ କରାଯିବ। ପାକିସ୍ତାନର ୨ ଆତଙ୍କବାଦୀଙ୍କ ସମେତ ପହଲଗାମ ଆକ୍ରମଣ ଘଟାଇଥିବା ୪ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା, କେନ୍ଦ୍ରୀୟ ପୁଲିସ ବାହିନୀ ଏବଂ ଜମ୍ମୁ କାଶ୍ମୀର ପୁଲିସ ପହଲଗାମର ଜଙ୍ଗଲରେ ଅପରେସନ୍‌ ଜାରି ରଖିଛନ୍ତି।

ମିଳିଥିବା ସୂଚନାନୁଯାୟୀ ଅନନ୍ତନାଗର ପହଲଗାମ ତହସିଲ୍‌ରେ ହପତ ନର ଗ୍ରାମ ନିକଟରେ ସୁରକ୍ଷାକର୍ମୀମାନେ ପ୍ରଥ‌ମେ ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲେ। କିନ୍ତୁ ଘଞ୍ଚ ଜଙ୍ଗଲ ହୋଇଥିବାରୁ ତାହାର ଫାଇଦା ନେଇ ସେମାନେ ଖସି ପଳାଇଥିଲେ। ପରେ କୁଲଗାମ୍‌ର ଜଙ୍ଗଲ ଅଞ୍ଚଳରେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା। ଯେଉଁଠାରେ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ପରେ ସେମାନଙ୍କୁ ତ୍ରାଲ୍‌ରେ ଚିହ୍ନଟ କରାଯାଇଛି ଏବଂ ଏହାପରେ କୋକେରନାଗ୍‌ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସାଧାରଣତଃ ଆତଙ୍କବାଦୀମାନେ ସୀମା ନିକଟସ୍ଥ ଗାଁରୁ ‌ସେମାନଙ୍କ ଖାଦ୍ୟ ବ୍ୟବସ୍ଥା କରିଥାନ୍ତି। କିଛି ସମୟରେ ସେମାନଙ୍କୁ ଜଙ୍ଗଲରେ ଖାଦ୍ୟ ପହଞ୍ଚାଇବା ପାଇଁ ସେମାନେ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ ରଖିଥାନ୍ତି। ଗୁଇନ୍ଦା ସୂଚନା ପାଇ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଧରନ୍ତି। କିନ୍ତୁ ଚଳିତ ଥର ଆତଙ୍କବାଦୀ ଅତ୍ୟନ୍ତ ସତର୍କତାର ସହ କାମ କରୁଛନ୍ତି। ତେବେ ଆତଙ୍କବାଦୀମାନେ ଏବେ ବି ଦକ୍ଷିଣ କାଶ୍ମୀରରେ ଥିବା ବିଶ୍ବାସ କରାଯାଉଛି।  

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛି। ଏହି ଆକ୍ରମଣର ଭାରତ କଡ଼ାଗଣ୍ଡା ପ୍ରତିଶୋଧ ନେବ ବୋଲି ପାକିସ୍ତାନ ଭଲଭାବେ ଜାଣିଛି ଏବଂ ଏଥିପାଇଁ ଆଗୁଆ ସତର୍କ ମଧ୍ୟ ରହିଛି। ଇତିମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଅସିଫ୍‌ କହିଛନ୍ତି, ଭାରତ ଦ୍ବାରା ଖୁବ୍‌ଶୀଘ୍ର ସାମରିକ ଆକ୍ରମଣ ହେବାକୁ ଯାଉଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ ଆମ ସୁରକ୍ଷାବାହିନୀକୁ ମଜଭୁତ କରିଛୁ। କାରଣ ଭାରତ ଖୁବ୍‌ଶୀଘ୍ର ସାମରିକ ଆକ୍ରମଣ କରିପାରେ। ତେଣୁ ବର୍ତ୍ତମାନ ସ୍ଥିତିରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଅସିଫ କହିଛନ୍ତି। ପାକିସ୍ତାନ ହାଇଆଲର୍ଟରେ ଅଛି ଏବଂ ଯଦି ଏହାର ଅସ୍ତିତ୍ବ ଉପରେ ସିଧାସଳଖ ବିପଦ ଆସେ ତେବେ ଏହା ପରମାଣୁ ଅସ୍ତ୍ରର ବ୍ୟବହାର କରିବ ବୋଲି ଅସିଫ୍‌ କହିଛନ୍ତି।