ମୁଖ୍ୟମନ୍ତ୍ରୀ ଚୟନ ନେଇ ରଣନୀତି, ବଦଳାଇବ ବିଜେପି

ତିନି ରାଜ୍ୟରୁ ଶିକ୍ଷା

ନୂଆଦିଲ୍ଲୀ: ହରିୟାଣା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଜେପି ଏବେ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ରଣନୀତି ବଦଳାଇବ ବୋଲି ଜଣାପଡ଼ିଛି। ବିଜେପି ନିର୍ବାଚନ ପୂର୍ବରୁ ଯେଭଳି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁଛି ତାହା ଦଳ ପାଇଁ ସମସ୍ୟା ସୃଷ୍ଟି କରୁଛି ଏବଂ ଅନ୍ୟ ସହଯୋଗୀ ଦଳମାନେ ମଧ୍ୟ ବିଜେପିଠାରୁ ଦୂରେଇ ଯାଉଛନ୍ତି। ରାଜ୍ୟ ପରିସ୍ଥିତି ଏବଂ ନେତାଙ୍କ ଦକ୍ଷତାକୁ ମାପକାଠି ଭାବେ ନେଇ ବିଜେପି ଏଣିକି ମୁଖ୍ୟମନ୍ତ୍ରୀ ଚୟନ କରିବା ଉପରେ ଧ୍ୟାନ ଦେବ ଏବଂ ପୂର୍ବ ଭଳି ଆଗୁଆ ମୁଖ୍ୟମନ୍ତ୍ରୀ ଲଦିବା ଭଳି ପଦକ୍ଷେପ ନେବ ନାହିଁ ବୋଲି ଜଣାପଡ଼ିଛି। ଧାରା ୩୭୦ ଉଚ୍ଛେଦଠାରୁ ରାମ ମନ୍ଦିର ରାୟ ପର୍ଯ୍ୟନ୍ତ କୌଣସି ବି ପ୍ରସଙ୍ଗ ବିଜେପି ପାଇଁ ଏବେ ନିର୍ବାଚନୀ ସଫଳତା ହାସଲ ଦିଗରେ ସହାୟକ ହୋଇପାରୁ ନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଚୟନ ସଂକ୍ରାନ୍ତ ବିଜେପିର ଭୁଲ୍‌ ରଣନୀତିକୁ ହିଁ ଏବେ ଦାୟୀ କରାଯାଉଛି ଏବଂ ଏହି ନୀତି ଯୋଗୁଁ ବିଜେପି ହାତରୁ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ଖସିଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନିଷ୍ପତ୍ତିକ୍ରମେ ବିଜେପି ମହାରାଷ୍ଟ୍ର ଭଳି ମରାଠା ଅଧ୍ୟୁଷିତ ରାଜ୍ୟରେ ବ୍ରାହ୍ମଣ ସଂପ୍ରଦାୟର ଦେବେନ୍ଦ୍ର ଫଡ୍‌ନାଭିସ, ଜାଟ ବହୁଳ ହରିୟାଣାରେ କ୍ଷତ୍ରୀୟ ପଂଜାବୀ ମନୋହର ଲାଲ ଖଟ୍ଟର, ପଟିଦାରଙ୍କ ଆଧିପତ୍ୟ ଥିବା ଗୁଜରାଟରେ ଜୈନ୍‌ ସଂପ୍ରଦାୟର ବିଜୟ ରୂପାନି ଏବଂ ଆଦିବାସୀ ବହୁଳ ଝାଡ଼ଖଣ୍ଡରେ ଓବିସି ରଘୁବର ଦାସଙ୍କୁ ନେତା ଚୟନ କରିଥିଲା। ସେମାନେ କେନ୍ଦ୍ରୀୟ ନେତାଙ୍କ ସହିତ ନିକଟତର ଥିବାରୁ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। କେବଳ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଯୋଗୁଁ ବିଜେପି ଏହି ରାଜ୍ୟମାନଙ୍କରେ କ୍ଷମତାକୁ ଆସିପାରିଥିଲା। ୨୦୧୭ ବିଧାନସଭା ନିର୍ବାଚନରେ ଗୁଜରାଟ ଅଳ୍ପକେ ବର୍ତ୍ତି ଯାଇଥିଲା ଏବଂ ସେଠାରେ ବିଜୟ ରୁପାନିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପରେ ଏବେ ବି ଦଳ ଭିତରେ କନ୍ଦଳ ଲାଗି ରହିଛି । ତେଣୁ ଗୁଜରାଟରେ ମଧ୍ୟ ବିଜେପି ତା’ଣ ରଣନୀତି ବଦଳାଇବାକୁ ‌ଚିନ୍ତା କରୁଛି। ହରିୟାଣାରେ ଏକାକୀ ସରକାର ଗଠନରେ ବିଜେପି ବିଫଳ ହୋଇ ଦୁଶ୍ୟନ୍ତ ଚୌତାଲାଙ୍କ ଜେଜେପି ସହିତ ହାତ ମିଳାଇ ସରକାର ଗଠନ କଲା। ତେବେ ମହାରାଷ୍ଟ୍ରରେ ବିଜେପି ଦେବେନ୍ଦ୍ର ଫଡନାଭିସ୍‌ଙ୍କ ନେତୃତ୍ବରେ ସରକାର ଗଠନ ‌ପାଇଁ ସଫଳ ହେଲାନାହିଁ ଏବଂ ଏନ୍‌ସିପି ନେତା ଅଜିତ ପାୱାରଙ୍କ ସହ ହାତ ମିଳାଇ ଫଡ୍‌ନାଭିସ ଦଳ ପାଇଁ ବଡ଼ ଧରଣର ସମସ୍ୟା ସୃଷ୍ଟି କରିଥିଲେ। ଝାଡ଼ଖଣ୍ଡରେ ରଘୁବର ଦାସ ସହଯୋଗୀ ଦଳମାନଙ୍କ ସହିତ ଗୋଟିଏ ପଟେ ସଂପର୍କ ଛିନ୍ନ କରି ଦଳର ସଙ୍କଟ ବଢ଼ାଇଥିବା ବେଳେ ଅନ୍ୟପଟେ ଦଳୀୟ କନ୍ଦଳକୁ ପ୍ରଶମନ କରିବାରେ ମଧ୍ୟ ବିଫଳ ହୋଇଥିଲେ । ବିଜେପିର ମୁଖ୍ୟମନ୍ତ୍ରୀମାନେ ଦଳୀୟ ଆଭ୍ୟନ୍ତରୀଣ କଳହକୁ ଦୂର କରିବା ବଦଳରେ ନିଜେ ଗୋଷ୍ଠୀରେ ସାମିଲ ହୋଇଯାଉଥିବାରୁ ଦଳ ପାଇଁ ଏହା ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର