ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଦେଶବ୍ୟାପୀ ପ୍ରବଳ କ୍ରୋଧ ଦେଖିବାକୁ ମିଳିଥିବା ବେଳେ ଆଜି ଦେଶର ସମସ୍ତ ବିମାନ ବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଛି। ଆଜି ମୁମ୍ବାଇର ଏକ ବିମାନ ଚଳାଚଳ କେନ୍ଦ୍ରକୁ ଫୋନ୍ରେ ଅପହରଣ ଧମକ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଫୋନ୍ କରିଥିବା ବ୍ୟକ୍ତି ଏୟାର ଇଣ୍ଡିଆର ବିମାନକୁ ଅପହରଣ କରି ପାକିସ୍ତାନ ନିଆଯିବ ବୋଲି ଧମକ ଦେଇଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ବିମାନ ବନ୍ଦରର ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିମାନରେ ଚଢ଼ିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ୁଛି। ପାର୍କିଂସ୍ଥଳଗୁଡ଼ିକରେ ମଧ୍ୟ ବ୍ୟାପକ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ପୁଲୱାମା ଆକ୍ରମଣ ପରେ ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା ବଢ଼ାଇ ଦିଆଯାଇଥିଲା ଏବଂ ଆଜି ଧମକ ମିଳିବା ପରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ବିମାନ ବନ୍ଦରଗୁଡ଼ିକର ସୁରକ୍ଷା ସ୍ଥିତି ସମୀକ୍ଷା କରାଯାଇଛି । ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟୁରୋ (ବିଏସିଏସ୍) ଆଜି ସମସ୍ତ ବିମାନ ବନ୍ଦର ଏବଂ ଅପରେଟର୍ମାନଙ୍କ ପାଇଁ ନୂତନ ସୁରକ୍ଷା ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିଏସିଏସ୍ ପକ୍ଷରୁ କୁହାଯାଇଛି ଯେ ଟର୍ମିନାଲ୍ ଏବଂ ଅପରେସନ କ୍ଷେତ୍ରକୁ ଯିବା ପୂର୍ବରୁ ପ୍ରଥମେ କଡ଼ା ଯାଞ୍ଚ କରାଯିବ। ବିମାନ ବନ୍ଦରକୁ କୌଣସି ଯାନ ବିନା ଯାଞ୍ଚରେ ଯାତାୟତ କରିପାରିବ ନାହିଁ। ସମସ୍ତ ଯାତ୍ରୀ, କର୍ମଚାରୀ, କ୍ୟାଟରିଂ ଏବଂ ସାମଗ୍ରୀଗୁଡ଼ିକର କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏୟାରପୋର୍ଟ ପ୍ରବେଶ ଦ୍ବାରରେ କଠୋର ନିରୀକ୍ଷଣ ଏବଂ ଯାଞ୍ଚ ବ୍ୟବସ୍ଥା ଲାଗୁ ହୋଇଛି ।
ବିମାନ ଅପହରଣ ଧମକ: ସମସ୍ତ ଏୟାରପୋର୍ଟରେ ହାଇ ଆଲର୍ଟ
/sambad/media/post_attachments/wp-content/uploads/2019/02/air.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)