ଆମେରିକା ଗଲା ଉଦ୍ଭିଜ୍ଜ ବିକଳ୍ପ ମାଂସ ଉତ୍ପାଦ

ଅଷ୍ଟ୍ରେଲିଆ, ଇସ୍ରାଏଲ୍ ଏବଂ ନ୍ୟୁଜିଲାଣ୍ଡକୁ ମଧ୍ୟ ରପ୍ତାନି ଯୋଜନା

ନୂଆଦିଲ୍ଲୀ : ସ୍ୱତନ୍ତ୍ର କୃଷି ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦଗୁଡିକର ରପ୍ତାନିକୁ ପ୍ରୋତ୍ସାହିତ କରିବା ନିମନ୍ତେ କେନ୍ଦ୍ର ସରକାର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ପ୍ରାଧିକରଣ (ଏପିଇଡିଏ) ମାଧ୍ୟମରେ ଶାକାହାରୀ ଖାଦ୍ୟ ବର୍ଗ ଅନ୍ତର୍ଗତ ଉଦ୍ଭିଦ ଆଧାରିତ ବିକଳ୍ପ ମାଂସ ଉତ୍ପାଦଗୁଡିକର ପ୍ରଥମ ଦଫାର ରପ୍ତାନି ଆଦେଶକୁ ସୁଗମ କରାଇଛନ୍ତି। ଗୁଜରାଟର ଖେଡା ଜିଲ୍ଲାର ନଦିଆଦଠାରୁ ଆମେରିକାର କାଲିଫର୍ଣ୍ଣିଆକୁ ଏହି ରପ୍ତାନି କରାଯାଇଛି।

ବିକଶିତ ଦେଶଗୁଡିକରେ ଶାକାହାରୀ ଖାଦ୍ୟ ଉତ୍ପାଦଗୁଡିକର ଚାହିଦା ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ଆଖି ଆଗରେ ରଖି ଉଦ୍ଭିଦ ଆଧାରିତ ଖାଦ୍ୟ ଉତ୍ପାଦର ଅନ୍ତର୍ଜାତୀୟ ବଜାରକୁ ରପ୍ତାନି କରାଯିବାର ଅପର୍ଯ୍ୟାପ୍ତ ସୁଯୋଗ ରହିଛି, କାରଣ ଏଥିରେ ଉଚ୍ଚ ଗୁଣବତ୍ତାସମ୍ପନ୍ନ ପୋଷକ ରହିଥାଏ। ଏଥିରେ ଅଧିକ ପରିମାଣରେ ଫାଇବର (ତନ୍ତୁ) ରହିଛି ଏବଂ କୋଲେଷ୍ଟେରଲ୍ ମାତ୍ରା ବହୁତ କମ୍ ରହିଥାଏ। ଏଥିପାଇଁ ଶାକାହାରୀ ଖାଦ୍ୟ ଉତ୍ପାଦଗୁଡ଼ିକ ସମଗ୍ର ବିଶ୍ୱରେ ବୈକଳ୍ପିକ ଖାଦ୍ୟ ଉତ୍ପାଦ ଭାବରେ ପରିଗଣିତ ହେବାକୁ ଯାଉଛି।

ନଦିଆଦଠାରୁ ଆମେରିକା ରପ୍ତାନି କରାଯାଇଥିବା ଶାକାହାରୀ ଖାଦ୍ୟ ଉତ୍ପାଦଗୁଡ଼ିକ ହେଉଛି- ମୋମୋଜ୍‌, ମିନି ସମୋସା, ପ୍ୟାଟିସ୍‌, ନଗେଟସ୍‌, ସ୍ପ୍ରିଙ୍ଗ ରୋଲସ୍‌, ବର୍ଗର ଇତ୍ୟାଦି। ଏଥିପାଇଁ ଖେଡା ଜିଲ୍ଲା ପ୍ରଶାସନ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛି।

ଏପିଇଡିଏର ଅଧ୍ୟକ୍ଷ ଡ. ଏମ୍‌. ଅଙ୍ଗମୁଥୁ କହିଛନ୍ତି ଯେ, ଏପିଇଡିଏ ଅଧିକ ପରିମାଣରେ ଉଦ୍ଭିଦ ଅଧାରିତ ମାଂସ ଉତ୍ପାଦକୁ ପ୍ରୋତ୍ସାହନ ଦେବା ନିମନ୍ତେ କାମ କରୁଛି, ଯେଉଁଥିରେ ପାରମ୍ପରିକ ପଶୁ ଆଧାରିତ ମାଂସ ରପ୍ତାନି ବଜାରରେ ହସ୍ତକ୍ଷେପ କରାଯାଉନାହିଁ। ଏହି ଅବସରରେ ଖେଡାର ଜିଲ୍ଲା ମାଜିଷ୍ଟ୍ରେଟ୍ କେ. ଏଲ୍‌. ବଚ୍ଛାନୀ ଭବିଷ୍ୟତର ରପ୍ତାନି ନିମନ୍ତେ ଏପିଇଡିଏ ସମ୍ପୂର୍ଣ୍ଣଭାବେ ସମର୍ଥନ ଦେବ ବୋଲି ଆଶ୍ୱାସନା ପ୍ରଦାନ କରିଥିଲେ।

ଏପିଇଡିଏ ରପ୍ତାନି ସମ୍ବନ୍ଧିତ ଅନେକ କାର୍ଯ୍ୟକଳାପ ଏବଂ ପଦକ୍ଷେପ ହାତକୁ ନେଇଛି। ଭର୍ଚୁଆଲ୍ ବାଣିଜ୍ୟ ମେଳା, ଫାର୍ମର କନେକ୍ଟ ପୋର୍ଟାଲ୍ (କୃଷକମାନଙ୍କ ସହିତ ଯୋଗାଯୋଗ ପୋର୍ଟାଲ୍‌), ଇ-ଅଫିସ୍‌, ହର୍ଟି-ନେଟ୍ ଟ୍ରେସେବିଲିଟି ବ୍ୟବସ୍ଥା, କ୍ରେତା-ବିକ୍ରେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା, ଉତ୍ପାଦ ନିର୍ଦ୍ଦିଷ୍ଟ ଅଭିଯାନ ଇତ୍ୟାଦି ତାହାର ଅନ୍ତର୍ଗତ। ରପ୍ତାନି କରାଯାଇଥିବା ଉତ୍ପାଦଗୁଡିକର ଗୁଣବତ୍ତାର ପ୍ରମାଣୀକରଣକୁ ସୁନିଶ୍ଚିତ କରିବା ନିମନ୍ତେ ଏପିଇଡିଏ ସାରା ଦେଶରେ ୨୨୦ ଲାବରେଟୋରୀକୁ ମାନ୍ୟତା ଦେଇଛି, ଯାହା ରପ୍ତାନିକାରୀମାନଙ୍କ ଉତ୍ପାଦଗୁଡିକର ପରୀକ୍ଷଣର ସେବା ପ୍ରଦାନ କରିଥାଏ।

ସମ୍ବନ୍ଧିତ ଖବର