ଫନି’ ପ୍ରଭାବିତ ଅଞ୍ଚଳରେ ବୃକ୍ଷରୋପଣ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ : ରାଜ୍ୟରେ ‘ଫନି’ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ବ୍ୟାପକ ପରିମାଣରେ ଗଛ ଭାଙ୍ଗି ଯାଇଛି।। ରାଜ୍ୟ ସରକାରଙ୍କ ଆକଳନରେ ପାଖାପାଖି ୨୫ ଲକ୍ଷ ଗଛ ନଷ୍ଟ ହୋଇଛି। ଏହାର ଭରଣା କିପରି କରାଯାଇପାରିବ ତଥା ଓଡ଼ିଶାର ସବୁଜିମାକୁ କିପରି ଫେରାଇ ଅଣାଯାଇ ପାରିବ ଏହା ନିଶ୍ଚିତ ଭାବେ ଏକ ଜଟିଳ ବ୍ୟାପାର ହୋଇଥିବା ବେଳେ କେନ୍ଦ୍ର ସରକାର ରାଜ୍ୟକୁ ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ଜଣାପଡ଼ିଛି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ରାଜ୍ୟରେ ବୃକ୍ଷରୋପଣ ଓ ସଂରକ୍ଷଣ କାର୍ଯ୍ୟ ପାଇଁ ଜଙ୍ଗଲ ବୃଦ୍ଧି ହୋଇଥିଲା । ରାଜ୍ୟ ସରକାରଙ୍କର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଫନି ଦ୍ବାରା ବ୍ୟାପକ ପରିମାଣରେ ଗଛ ଭାଙ୍ଗିଥିବାରୁ ଏହାର ଏକମାତ୍ର ନିରାକରଣ ହେଉଛି ବୃକ୍ଷରୋପଣ। ବୃକ୍ଷରୋପଣ କାର୍ଯ୍ୟକୁ ମିଶନ ମୋଡ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ତ୍ବରାନ୍ବିତ କରିବାକୁ ପଡ଼ିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ସବୁକିଛି ରାଜ୍ୟ ସରକାରଙ୍କ ଯୋଜନା ଓ କ୍ରିୟାନ୍ବୟନ ଉପରେ ନିର୍ଭର କରୁଛି। ତେବେ କେନ୍ଦ୍ର ସରକାରଙ୍କ ଗ୍ରିନ ଇଣ୍ଡିଆ ମିସନ, ନ୍ୟାସନାଲ ଆଗ୍ରୋ ଫରେଷ୍ଟ୍ରି ପଲିସି, ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ ତଥା ନ୍ୟାସନାଲ ଏନଫରେଷ୍ଟେସନ ପ୍ରୋଗ୍ରାମ ଅନ୍ତର୍ଗତ ରାଜ୍ୟ ସରକାରଙ୍କୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଉଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି। ଏତଦ୍‌ ବ୍ୟତୀତ କାମ୍ପା ପାଣ୍ଠି ଅନ୍ତର୍ଗତ ରାଜ୍ୟକୁ ଆର୍ଥିକ ଅନୁଦାନ ପ୍ରଦାନ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଅନ୍ୟପକ୍ଷେ ଫନି ଯୋଗୁଁ ଉପକୂଳ ଅଞ୍ଚରେ କ୍ଷତିଗ୍ରସ୍ତ ହୋଇଥିବା ନଡ଼ିଆ ଚାଷୀମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା କେଉଁ ପ୍ରକାର ସହାୟତା ପ୍ରଦାନ କରାଯିବ ସେନେଇ କୌଣସି ସୂଚନା ମିଳି ନଥିବା ବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ପ୍ରଭାବିତ ନଡ଼ିଆ ଚାଷୀମାନଙ୍କୁ ଏହି ବୀମା ଯୋଜନାରେ ସାମିଲ କାରଯିବ କି ନାହିଁ ଆଶଙ୍କା ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଗତ ବର୍ଷ ତାମିଲନାଡୁର ପ୍ରଳୟଙ୍କାରୀ ‘ଗାଜା ବାତ୍ୟା’ ଦ୍ବାରା ଏକ କୋଟି ନଡ଼ିଆ ଗଛ ନଷ୍ଟ ହୋଇଯାଇଥିବା ବେଳେ ପାଖାପାଖି ୭୦ ହଜାର ଚାଷୀ ପ୍ରଭାବିତ ହୋଇଥିଲେ। କେନ୍ଦ୍ର ସରକାରଙ୍କ ଦ୍ବାରା ତାମିଲନାଡୁର ନଡ଼ିଆ ଚାଷୀମାନଙ୍କୁ କିଛି ମାତ୍ରାରେ ସହାୟତା ପ୍ରଦାନ କରାଯାଇଥିଲା। ଏହାର ପୁନରାବୃତ୍ତି ଓଡ଼ିଶାର ଫନି ପ୍ରଭାବିତ ନଡ଼ିଆ ଚାଷୀଙ୍କ କ୍ଷେତ୍ରରେ ମଧ୍ୟ ହେବ ବୋଲି ଅନୁମାନ କରାଯାଉଛି।

ଓଡ଼ିଶା କ୍ରମାଗତ ଭାବେ ବାତ୍ୟା, ବନ୍ୟା ଓ ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରଭାବିତ ହୋଇଥିବା ଯୋଗୁଁ ରାଜ୍ୟରେ କିଭଳି ଜଙ୍ଗଲ ଅଞ୍ଚଳ ବୃଦ୍ଧି କରାଯାଇ ପାରିବ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ସ୍ତରରୁ ମାନସ ମନ୍ଥନ ଆରମ୍ଭ ହୋଇଛି। ପ୍ରସ୍ତାବିତ ଜଳବାୟୁ ନିବେଶ ଯୋଜନା ଅନ୍ତର୍ଗତ ଖାଲି ପଡ଼ିରହିଥିବା ଜମିରେ ମୂଲ୍ୟବାନ କାଠ ପ୍ରସ୍ତୁତ ହେବା ଭଳି ବୃକ୍ଷରୋପଣ କରାଯିବାର ଅନୁମତି ମଧ୍ୟ ଦିଆଯିବ।

ସମ୍ବନ୍ଧିତ ଖବର