ନୂଆଦିଲ୍ଲୀ : କରୋନା ଭାଇରସର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରଭାବୀ ଚିକିତ୍ସା ପଦ୍ଧତି ବାହାରିନାହିଁ । ପ୍ଲାଜମା ଚିକିତ୍ସା ଏବେ ବି ପରୀକ୍ଷଣ ସ୍ତରରେ ରହିଛି । କରୋନା ଚିକିତ୍ସା ପାଇଁ ଏହାକୁ ବ୍ୟବହାର ପରୀକ୍ଷାମୂଳକ ଭାବେ କରାଯାଉଛି । ଏହାର ସଫଳତା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

Advertisment

ଦେଶରେ ଗତ ୨୪ ଘଣ୍ଟାରେ ମୋଟ ୧୫୪୩ ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସହିତ ମୋଟ ସଂକ୍ରମଣ ସଂଖ୍ୟା ୨୯୪୩୫ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଦେଶର ଆରୋଗ୍ୟ ହାର ୨୩.୩% କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦେଶର ୧୭ ଟି ଜିଲ୍ଲା, ଯେଉଁଠାରେ ପୂର୍ବରୁ ସଂକ୍ରମଣ ମାମଲା ଦେଖାଦେଇଥିଲା, ଗତ ୨୮ ଦିନରେ କୌଣସି ମାମଲା ଦେଖାଯାଇନାହିଁ । ଏହି ତାଲିକାରେ ୨ଟି ନୂଆ ଜିଲ୍ଲା କେରଳର ଓ୍ୱାଇନାଡ ଓ ପଶ୍ଚିମ ବଙ୍ଗର କଲିଂପଙ୍ଗ ମିଶିଥିବାବେଳେ ଗୋଟିଏ ଜିଲ୍ଲା ବିହାରର ଲଖିସରାଇ ବାଦ ପଡ଼ିଛି ।
ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ କେନ୍ଦ୍ରୀୟ ଟିମ ସୁରତ ଗସ୍ତ କରି ନିଜର ରିପୋର୍ଟ ଦେଇଛନ୍ତି । ସୁରତରେ ପ୍ରଶାସନ ପକ୍ଷରୁ ଅଧିକରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି ।