ପ୍ଲାଜ୍‌ମା ଦାନ ନେଇ ରାକେଟ୍‌ ସକ୍ରିୟ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଫଳପ୍ରଦ ଟିକା କିମ୍ବା ପ୍ରମାଣସିଦ୍ଧ ଉପଚାର ପଦ୍ଧତି ବାହାରି ପାରିନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ପ୍ଲାଜ୍‌ମା ଚିକିତ୍ସାକୁ ମଧ୍ୟ କେହି କେହି ବିଶଲ୍ୟକରଣୀ ସମ ଶ୍ରେଷ୍ଠ ମହୋଷଧିର ମାନ୍ୟତା ଦେଇ ଗୁରୁତର ରୋଗୀଙ୍କ ଠାରେ ପ୍ରୟୋଗ ଚାଲୁ ରଖିଛନ୍ତି। ତେବେ ଆବଶ୍ୟକ ପରିମାଣ ପ୍ଲାଜ୍‌ମା ଯୋଗାଡ଼ ପାଇଁ ଇଚ୍ଛୁକ ଥିବା ପ୍ଲାଜ୍‌ମାଦାତାମାନେ ଏଥି ପାଇଁ ହଜାର ହଜାର ଟଙ୍କା ଦାବି କରିବା ହିଁ ପରିତାପର ବିଷୟ ହୋଇଛି। ଏ ପରିପ୍ରେକ୍ଷୀରେ ଏହି ଚିକିତ୍ସାର ଏପରି ବ୍ୟବସାୟୀକରଣ ନାନା ପ୍ରକାର ନୈତିକତା ତଥା ବୈଧାନିକ ଦିଗ ଉପରେ ପ୍ରଶ୍ନ ଉଠାଇଛି। ଗତମାସରେ ଦିଲ୍ଲୀର ସକେତ ସ୍ଥିତ ମାକ୍ସ ହସ୍ପିଟାଲରେ ଜଣେ ମହିଳା କୋଭିଡ୍‌-୧୯ ରୋଗୀଙ୍କର ପ୍ଲାଜ୍‌ମା ଚିକିତ୍ସା ପାଇଁ ତାଙ୍କ ପରିବାର ତିନି ଦିନ କାଳ ଖୋଜାଖୋଜି କରି ଜଣେ ପ୍ଲାଜ୍‌ମାଦାତାଙ୍କୁ ଠାବ କରିଥିଲେ, ତେବେ ଏଥିପାଇଁ ସେ ୨୫ ହଜାରରୁ ୩୦ ହଜାର ଟଙ୍କା ଦାବି କରିଥିଲେ। ତେବେ ଏଭଳି ଅନାହୂତ ପରିସ୍ଥିତିର ଶିକାର ନହେବା ଉଦ୍ଦେଶ୍ୟରେ ଏହାପରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ଓ କିଛି ବନ୍ଧୁ କୋଭିଡ୍‌ ରୋଗୀ ଓ ପ୍ଲାଜ୍‌ମାଦାତାଙ୍କ ମଧ୍ୟରେ ଯୋଗସୂତ୍ର ରଖିବା ପାଇଁ ‘ଢୁଣ୍ଡ୍‌’ ନାମକ ଏକ ମଞ୍ଚ ଗଠନ କରିଥିଲେ। ଏ ଦିଗରେ ସେମାନଙ୍କ ଅନୁଭୂତି ଅନୁଯାୟୀ, ପ୍ଳାଜ୍‌ମାଦାତାମାନଙ୍କ ମାନସିକତା ଅତ୍ୟନ୍ତ ଆଶ୍ଚର୍ଯ୍ୟ ପ୍ରକାରର। କେଉଁଠି ଜଣେ ସ୍ବେଚ୍ଛାସେବୀ ନିଜ ଖର୍ଚ୍ଚରେ ରକ୍ତପରୀକ୍ଷା ଆଦି କରାଇ ବାଟ ଖର୍ଚ୍ଚ ଦେଇ ପାଖରେ ପହଞ୍ଚି ପ୍ଲାଜ୍‌ମାଦାନ ପରେ ବି ପଇସାଟିଏ ଯାଚିଲେ ବି ନେବାକୁ ଅମଙ୍ଗ ହେଉଛନ୍ତି।

ଆଉ କେଉଁଠି ଜଣେ ସ୍ବେଚ୍ଛାସେବୀ ଆଗ ତାଙ୍କ ଜମାଖାତାକୁ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ହସ୍ତାନ୍ତର କରିବାକୁ ଆଗୁଆ ଦାବି ରଖି ପରଦିନ ଆସି ସେ ପ୍ଲାଜ୍‌ମା ଦାନ କରିବେ ବୋଲି ସର୍ତ୍ତ ରଖୁଛନ୍ତି। ପରିସ୍ଥିତିରେ ପଡ଼ି ଜଣେ ପୀଡ଼ିତ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ, ମାତ୍ର ଏପରି ନୈତିକତା ପ୍ରସଙ୍ଗ ପ୍ରତି ସମସ୍ତଙ୍କର ଧାରଣା ରହିବା ଜରୁରୀ। ଏହି ପ୍ଲାଜ୍‌ମା ଚିକିତ୍ସା କେବଳ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ତାହାର କୌଣସି ଧାର୍ଯ୍ୟ ଫଳପ୍ରଦତା ଏଯାଏ ହସ୍ତଗତ ହୋଇନାହିଁ ବୋଲି ଜନସ୍ବାସ୍ଥ୍ୟ ଓ ଜୈବନୈତିକତା ବିଶେଷଜ୍ଞ ଅନନ୍ତ ଭାଣ କହିଛନ୍ତି। ନିକଟରେ ମୁମ୍ବାଇର ନଲାସୋପରା ସ୍ଥିତ ଏକ ପ୍ଲାଜ୍‌ମାଭଣ୍ଡାର ଜଣେ ଅତିଶୟ କୋଭିଡ୍-୧୯ ରୋଗୀ ପାଇଁ ୨୦୦ ମିଲି. ପ୍ଲାଜ୍‌ମା ଯୋଗାଇଦେବାକୁ ୨୦ ହଜାର ଟଙ୍କା ଦାବି କରିଥିଲା। ଚାହିଦା ବଢ଼ିଲେ ଏହାର ମୂଲ୍ୟ ମଧ୍ୟ ଢେର୍‌ ବଢ଼ିଯିବ। ଏହା ଯାଦୁକରୀ ଭାବେ କାମ ଦେଉଥିବ ଭାବି ଲୋକେ ଏଥିପାଇଁ ଯେ କୌଣସି ମୂଲ୍ୟ ଦେବାକୁ ପଛାଉନାହାନ୍ତି। ତେବେ ଏ ପ୍ରସଙ୍ଗରେ ରକ୍ତ କିମ୍ବା ଏହାର କୌଣସି ଉପାଦାନ ଦାନ ଦେୟମୁକ୍ତ ରହିବା ଲାଗି ୧୯୯୬ ମସିହାରେ ସୁପ୍ରିମକୋର୍ଟ ଶୁଣାଇଥିବା ରାୟ ଗୁରୁତ୍ବ ବହନ କରୁଛି। ଏହାର ଉଲ୍ଲଂଘନ କଲେ ଦୁଇ ବର୍ଷ ଯାଏ କାରାଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ବର୍ତ୍ତମାନ କୋଭିଡ୍‌ ରୋଗୀ ଏବଂ ପ୍ଳାଜ୍‌ମା ଚିକିତ୍ସା ସଂଖ୍ୟା ଦିନକୁ ଦିନ ବଢୁଥିବା ପରିସ୍ଥିତିରେ ପ୍ଲାଜ୍‌ମାର ଏପରି କଳାବଜାରକୁ ମଧ୍ୟ ନିୟନ୍ତ୍ରଣ କରିବା ଏକ କଷ୍ଟସାଧ୍ୟ ବ୍ୟାପାର।

ସମ୍ବନ୍ଧିତ ଖବର