ପ୍ଲାଜମା ଥେରାପିରେ ଚିକିତ୍ସା ପାଇଁ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନ୍ୟ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଗଲା

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଆପ୍‌)ର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କୁ  ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଗୁରୁତର ହେବାରୁ ଆଜି ତାଙ୍କୁ ଆଦିଲ୍ଲୀର ସାକେତସ୍ଥିତ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ପ୍ଲାଜମା ଥେରାପିରେ ଚିକିତ୍ସା କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଆଜି ସକାଳେ (ଶୁକ୍ରବାର) ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର  ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହା ପରେ ତାଙ୍କୁ ଅମ୍ଳଜାନ ସହାୟତା ଦିଆଯାଇଥିଲା।

ଗତ ମଙ୍ଗଳବାର ଦିନ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ପ୍ଲାଜମା ଥେରାପିକୁ ଅନୁମୋଦନ ଦିଆଯାଇ ନ ଥିବାରୁ ତାଙ୍କୁ ନୂଆଦିଲ୍ଲୀର ସାକେତର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରଥମେ ଜୈନ୍‌ଙ୍କୁ ଜ୍ୱର ହେବା ସହିତ ହଠାତ ଶରୀରରୁ ତାଙ୍କର ଅମ୍ଳଜାନ ସ୍ତର କମି ଯାଇଥିଲା। ଦ୍ୱିତୀୟ ପରୀକ୍ଷା ପରେ ଗତ ବୁଧବାର ସନ୍ଧ୍ୟାରେ ଜୈନଙ୍କ କୋଭିଡ-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ବୃଦ୍ଧି ପାଇବାରେ ଲାଗିଛି।  ସତ୍ୟେନ୍ଦ୍ର ଜୈନ୍‌ଙ୍କ ହୋଇଥିବା ସିଟି ସ୍କାନରୁ ତାଙ୍କ ଫୁସଫୁସରେ ସମସ୍ୟା ଥିବା ଦେଖାଯାଇଛି। ଏହା ତାଙ୍କୁ ଅସୁବିଧାରେ ପକାଇପାରେ ବୋଲି ଅନୁମାନ କରାଯାଇ ଚିକିତ୍ସା ପାଇଁ ଜୈନ୍‌ଙ୍କୁ ସାକେତ ମ୍ୟାକ୍ସକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ତାଙ୍କର ପ୍ଲାଜମା ଥେରାପିରେ ଚିକିତ୍ସା କରାଯିବ।

Delhi health minister Satyendar Jain to receive plasma therapy as ...

ଏଭଳି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଟୁଇଟରେ କରି କୋଭିଡ -୧୯ ସଂକ୍ରମଣ ସହ ସଂଘର୍ଷ କରୁଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର