ନୂଆଦିଲ୍ଲୀ: କୋଭିଡ୍-୧୯ ରୋଗୀଙ୍କ ଠାରେ ପ୍ରୟୋଗ କରାଯାଇଥିବା ପ୍ଲାଜ୍ମା ଚିକିତ୍ସାର ପ୍ରାଥମିକ ଫଳାଫଳ ସନ୍ତୋଷଜନକ ସଫଳତା ଦେଇଥିବା କଥା ଶୁକ୍ରବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଆସନ୍ତା ଅଳ୍ପ କେତେ ଦିନ ମଧ୍ୟରେ ଏ ଭଳି ଆହୁରି ପରୀକ୍ଷା କରାଯିବ।
ସେ କହିଛନ୍ତି, କୋଭିଡ୍-୧୯ ରୋଗୀଙ୍କ ଠାରେ ପ୍ରୟୋଗ କରାଯାଇଥିବା ପରୀକ୍ଷାମୂଳକ ପ୍ଲାଜ୍ମା ଉପଚାରର ପ୍ରାଥମିକ ଫଳାଫଳ ଆଶା ସଞ୍ଚାର କରିଛି, ଆସନ୍ତା ଦୁଇତିନି ଦିନ ମଧ୍ୟରେ ଅଧିକ ପରୀକ୍ଷାମୂଳକ ଚିକିତ୍ସା କରାଯିବ। ଏହା ପ୍ରାରମ୍ଭିକ ଫଳାଫଳ ମାତ୍ର; କରୋନାଭାଇରସ୍ର ଉପଚାର ମିଳିଗଲା ବୋଲି ଭାବିବା ଅନୁଚିତ।
ମଙ୍ଗଳବାର ଦିନ ଦିଲ୍ଲୀରେ କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ପରୀକ୍ଷାମୂଳକ ଭାବେ ପ୍ଲାଜ୍ମା ଉପଚାର କରାଯାଇଥିଲା। କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଠାରୁ ଏହି ରୋଗପ୍ରତିରୋଧକ ଶକ୍ତିସମୃଦ୍ଧ ପ୍ଲାଜ୍ମା ସଂଗ୍ରହ କରାଯାଇଥିଲା। ଦୁଇଜଣ ସଂକଟାପନ୍ନ ସଂକ୍ରମିତଙ୍କ ଦେହରେ ଏହି ସଂଗୃହୀତ ପ୍ଲାଜ୍ମା ପ୍ରୟୋଗ ହୋଇଥିଲା।
କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ଚିକିତ୍ସା ଦ୍ବାରା ଯେଉଁମାନେ ସୁସ୍ଥ ହୋଇଛନ୍ତି ସେମାନେ ଆଗେଇ ଆସି ଗରୁତର ରୋଗୀଙ୍କ ନିମନ୍ତେ ପ୍ଲାଜ୍ମା ଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ନିବେଦନ କରିଛନ୍ତି।